ଆଣ୍ଟିଗୁଆ: ଭାରତୀୟ ମହିଳା କ୍ରିକେଟ ଟିମର ଇଣ୍ଡିଜ ଗସ୍ତ । 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର 2ୟ ମ୍ୟାଚରେ ଭାରତ 53ରନ୍ରେ କାରବିୟାନ ମହିଳା କ୍ରିକେଟ ଟିମ୍କୁ ପରାସ୍ତ କରିଛି । ତେବେ ଏହି ବିଜୟ ପରେ ସିରିଜ 1-1ରେ ବରାବର ରହିଛି । ଏବେ 3ୟ ଦିନିକିଆ ମ୍ୟାଚଟି ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ ହେବ ।
ପ୍ରଥମେ ଭାରତୀୟ ମହିଳା ଦଳ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ସର୍ବାଧିକ ପୁନମ ରାଉତ 77(128 ବଲ୍)ରନ୍ ହାସଲ କରିଥିଲେ । ସେହିପରି ହରମନପ୍ରୀତ କୌର 46ରନ୍ ଓ କ୍ୟାପ୍ଟେନ ମିତାଲି ରାଜ 40ରନ୍ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ ଟିମ୍ ଇଣ୍ଡିଆ 6 ଓ୍ବିକେଟ ବିନିମୟରେ 191ରନ୍ ହାସଲ କରିଥିଲା ।
ତେବେ ବିପକ୍ଷ ଇଣ୍ଡିଜ ମହିଳା ଦଳ 192ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି 138(47.2)ରନ୍ରେ ଅଲ୍ଆଉଟ ହୋଇଯାଇଥିଲେ । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଫଳରେ ବିପକ୍ଷ ଦଳ ବ୍ୟାଟମ୍ୟାନ କେହି ବି 50ଅଙ୍କ ବି ଛୁଇଁ ପାରିନଥିଲେ ।
ଟିମ୍ ଇଣ୍ଡିଆ ପକ୍ଷରୁ ରଜେଶ୍ବରୀ,ପୁନମ ଓ ଦୀପ୍ତି 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ସେହିପରି ଝୁଲଣ ଓ ସୀକ୍ଷା ଗୋଟିଏ ଲେଖାଏଁ ଓ୍ବିକେଟ ନିଜ ନାଁରେ କରିଛନ୍ତି । ସୂଚନାଥାଉକି, ପ୍ରଥମ ଦିନିକିଆ ମ୍ୟାଚରେ ଇଣ୍ଡିଜ ଦଳ 1ରନ୍ରେ ଭାରତକୁ ପରାସ୍ତ କରିଥିଲା 2ୟ ମ୍ୟାଚରେ ଭାରତ ସେହି ପରାଜୟର ପ୍ରତିଶୋଧ ନେଇ 3ଶୃଙ୍ଖଳା ବିଶିଷ୍ଟ ସିରିଜକୁ 1-1ରେ ବରାବର କରିଛି ।
ତେବେ ଏହି ଶୃଙ୍ଖଳାର 3ୟ ଦିନିକିଆ ମ୍ୟାଚ 6 ନଭେମ୍ବରକୁ ଆଣ୍ଟିଗୁଆ ସ୍ଥିତ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।