ହାଇଦ୍ରାବାଦ: ଜର୍ସି ନମ୍ବର 7, ଏହା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଇମୋସନ । କାରଣ ଏହା ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନମ୍ବର । ତେବେ ଟେଷ୍ଟ କ୍ରିକେଟରେ ଧୋନିଙ୍କ ଅନୁପସ୍ଥିତିରେ ଏହି ନମ୍ବରର ଅଧିକାରୀ କିଏ ବୋଲି ଏବେ ପ୍ରଶ୍ନ ଉଠୁଛି ।
ଉଲ୍ଲେଖଥାଉ କି, ଆଗାମୀ ଅଗଷ୍ଟ 1ରୁ ହ୍ୱାଇଟ କ୍ରିକେଟର ସବୁଠାରୁ ବଡ ଯୁଦ୍ଧ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଅଗଷ୍ଟ 22ରୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ ଖେଳିବ । ଯେହେତୁ ଟେଷ୍ଟ କ୍ରିକେଟରେ ଖେଳାଳିଙ୍କ ଜର୍ସି ପଛରେ ନାମ ଓ ନମ୍ବର ଲେଖା ଯିବାର ନିୟମ ଆସିଛି । ଫଳରେ ଭାରତୀୟ ଦଳରେ ଏହି ଜର୍ସି ନମ୍ବର 7କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ 2015 ମସିହାରୁ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଧୋନି ।
ସୂଚନାଥାଉ କି, ସଚିନ ତେନ୍ଦୁଲକରଙ୍କ 10 ନମ୍ବର ଜର୍ସିକୁ ବିସିସିଆଇ ଅଫିସିଆଲ ଭାବେ ଅବସର ଦେଇସାରିଛି । ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଗୋଟିଏ ମ୍ୟାଚରେ 10 ନମ୍ବର ଜର୍ସି ପିନ୍ଧିବା ପରେ ଏହା ଉପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ତେଣୁ ଏପରି ସ୍ଥିତିରେ ଧୋନିଙ୍କ 7 ନମ୍ବର ଜର୍ସିକୁ କିଏ ପରିଧାନ କରିବ ତାକୁ ନେଇ ଚର୍ଚ୍ଚା । ଯେଉଁଠି ବିରାଟ 18 ଏବଂ ରୋହିତ 45 ନମ୍ୱର ଜର୍ସି ପିନ୍ଧିବେ ବୋଲି ବିସିସିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ବିସିସିଆର ଏହି ଅଧିକାରୀ ଜଣଙ୍କର କହିବା କଥା ହେଲା, 7 ନମ୍ୱର ଜର୍ସି ଖେଳାଳିଙ୍କ ପାଇଁ ଉପଲବ୍ଧ ରହିବ, କିନ୍ତୁ ଏହାକୁ ପିନ୍ଧିବା ନେଇ ବହୁକ କମ ସମ୍ଭାବନା ରହିଛି । ସେ କହିଛନ୍ତି, " 7 ନମ୍ବର ଜର୍ସି ଧୋନିଙ୍କ ନାମରେ ରହିଛି । ସାଧାରଣତଃ କୌଣସି ଜର୍ସିକୁ ଅବସର ଦିଆଯାଇ ନଥାଏ, କିନ୍ତୁ ଭାରତୀୟ କ୍ରିକେଟରେ ଧୋନୀଙ୍କ ଅବଦାନ ଏତେ ବଡ ଯେ ବିସିସିଆଇ ତାଙ୍କ ଜର୍ସିକୁ ଅବସର ଦେଇପାରେ ।"