ନୂଆଦିଲ୍ଲୀ: ଦର୍ଶକଙ୍କ ପାଇଁ ବିଶ୍ବ କ୍ରିକେଟର ସବୁଠାରୁ ବଡ଼ ହାଇ ଭୋଲଟେଜ ମ୍ୟାଚ ମାନଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚକୁ ବିବେଚନା କରାଯାଏ । ଦୁଇ ଦେଶ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଷ୍ଟାଡିୟମକୁ ଖଚାଖଚ ଭରିଦିଏ । ବେଳେ ବେଳେ ପଡ଼ିଆକୁ ମଧ୍ୟ ଓହ୍ଲାଇ ଆସନ୍ତି ଫ୍ୟାନ୍ସ । ଭାରତର ପୂର୍ବତନ ୱିକେଟ କିପର କିରନ ମୋରେ ପ୍ରକାଶ କରିଛନ୍ତି ଯେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ସମୟରେ ସ୍ଲେଜିଂ ହୋଇଥାଏ ଏବଂ ସେ ଏଥିରେ ସମ୍ପୃକ୍ତ ଥିବା କିଛି ଘଟଣାର ବର୍ଣ୍ଣନା କରିଛନ୍ତି।
ଦି ଗ୍ରେଟେଷ୍ଟ ରାଇଭଲରୀ ପୋଡକାଷ୍ଟରେ ସେ କହିଛନ୍ତି ଯେ, ‘‘ଯେତେବେଳେ ବି ଭାରତ-ପାକିସ୍ତାନ ସିରିଜ ହୁଏ, ସ୍ଲେଜିଂ ହୁଏ। ଯେତେବେଳେ ଆମେ 1989 ରେ ପାକିସ୍ତାନ ଯାଇଥିଲୁ, ମୁଁ କରାଚି ଟେଷ୍ଟରେ ସଲିମ ମଲିକଙ୍କୁ ସ୍ଲେଜ କରିଥିଲି ଏବଂ ସେ ମୋତେ ବ୍ୟାଟ୍ ମାରିବାକୁ ଆସିଥିଲେ। ମୁଁ ତାଙ୍କୁ ପଞ୍ଜାବୀରେ ଏକ ଖରାପ ଶବ୍ଦ କହିଥିଲି କାରଣ ଆମ ପାଇଁ ଏହା ସାଧାରଣ ଭାଷା ଥିଲା।’’
‘‘ବାସ୍ତବରେ ଏହା ବହୁତ ମଜାଦାର ଏବଂ ମୁଁ ଭାବୁଛି ସେତେବେଳେ ଯଦି ଚାରିଆଡେ ମାଇକ୍ରୋଫୋନ ରହିଥାନ୍ତା ଏହା ସମସ୍ତଙ୍କ ପାଇଁ ଖୁବ ହାସ୍ୟାସ୍ପଦ ହୋଇଥାନ୍ତା ।’’
ଏହା ପରେ ମୋରେ ପାକିସ୍ତାନର ମହାନ କ୍ରିକେଟର ଜାଭେଦ ମିଆଁଦାଦ ଯେତେବେଳେ ନିଜର 100 ତମ ଟେଷ୍ଟ ଖେଳୁଥିଲେ ସେ ବିଷୟରେ କହିଥଲେ।
‘‘ଜାଭେଦ ଲାହୋରରେ ନିଜର 100 ତମ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ। ସେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ମନିନ୍ଦର ସିଂ ବୋଲିଂ କରିଥିଲେ। ତୃତୀୟ କିମ୍ବା ଚତୁର୍ଥ ଓଭର ପୂର୍ବରୁ ସେ ଗୋଡ ଆଗକୁ ରଖିଥିଲେ। ଏହା ମନିନ୍ଦରଙ୍କ ଏକ ସୁନ୍ଦର ବଲ ଥିଲା ।
ବଲ ତାଙ୍କ ଆଣ୍ଠୁ ତଳେ ବାଜିଥିଲା। ମୁଁ ଅପିଲ କରିଥିଲି । ମିଆଁଦାଦ ମୋତେ କହିଥିଲେ ‘ତୁମେ କାହିଁକି ଅପିଲ କରୁଛ? ଏହା ମୋର 100 ତମ ଟେଷ୍ଟ ମ୍ୟାଚ୍, ମୁଁ ଏକ ଶତକ ସ୍କୋର କରି ଘରକୁ ଯିବି' ବୋଲି ମୋରେ କହିଛନ୍ତି।
@IANS