ନୂଆଦିଲ୍ଲୀ: ଅଗଷ୍ଟ ଶେଷରେ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ କୌଣସି ପ୍ରତିଶ୍ରୁତି ଦେଇ ନାହିଁ ବୋଲି ବୋର୍ଡ କୋଷାଧ୍ୟକ୍ଷ ଅରୁଣ ଧୁମଲ ଶୁକ୍ରବାର କହିଛନ୍ତି । କ୍ରିକେଟ ସାଉଥ ଆଫ୍ରିକାର ଦାବିକୁ ଅସ୍ବୀକାର କରିଥିବାବେଳେ ଧୁମାଲ କହିଛନ୍ତି କେବଳ ଟି-20 ସିରିଜ ବିଷୟରେ ଆଲୋଚନା ହୋଇଛି କିନ୍ତୁ କୌଣସି ପ୍ରତିବଦ୍ଧତା ନାହିଁ ।
ସିଏସଏ (କ୍ରିକେଟ ସାଉଥ ଆଫ୍ରିକା)ର ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟାକ ଫଲ ଗୁରୁବାର କହିଛନ୍ତି ଯେ ଅଗଷ୍ଟ ଶେଷରେ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ବିସିସିଆଇ ରାଜି ହୋଇଛି କିନ୍ତୁ ବିସିସିଆଇ କୋଷାଧ୍ୟକ୍ଷ ଏଥିରେ ସହମତ ନୁହଁନ୍ତି ।
କୋରୋନା ମହାମାରୀ ଯୋଗୁଁ ଯେତେବେଳେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ବାତିଲ ହୋଇଥିଲା, ଆମେ ଆଲୋଚନା କରିଥିଲୁ ଯେ ଯଦି ସମ୍ଭବ ହୁଏ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । କିନ୍ତୁ କୌଣସି ସମୟରେ ଆମେ ଅଗଷ୍ଟରେ ଗସ୍ତ କରିବା ନେଇ କ୍ରିକେଟ ସାଉଥ ଆଫ୍ରିକାକୁ ପ୍ରତିଶ୍ରୁତି ଦେଇନାହୁଁ,’’ ବୋଲି ପିଟିଆଇକୁ କହିଛନ୍ତି ଧୁମଲ ।
ବିସିସିଆଇର ବରିଷ୍ଠ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସରକାର ସେମାନଙ୍କୁ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଅନୁମତି ନଦିଅନ୍ତି ସେପର୍ଯ୍ୟନ୍ତ ବିସିସିଆଇ କୌଣସି ଦେଶକୁ କୌଣସି ପ୍ରତିଶ୍ରୁତି ଦେବ ନାହିଁ।
‘‘ଏପରିକି ବର୍ତ୍ତମାନ ଆମେ ଜୁଲାଇରେ ଶ୍ରୀଲଙ୍କା ଏବଂ ପରେ ଜିମ୍ବାୱେ (ଛୋଟ ଟି-20 ସିରିଜ) ଗସ୍ତ ନେଇ ମଧ୍ୟ ପ୍ରତିଶୃତି ଦେଇ ପାରିବୁ ନାହିଁ । ଏହି ଦୁଇଟି ଯାତ୍ରା FTP କାର୍ଯ୍ୟକ୍ରମର ଏକ ଅଂଶ ଏବଂ ଆମେ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁ ଯେ ଦୁଇ ମାସରେ ପରିସ୍ଥିତି କଣ ହେବ । ତେଣୁ କିପରି ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ଆମେ ପ୍ରତିଶ୍ରୁତି ଦେଇ ପାରିବୁ ?’’ ବୋଲି ଧୁମଲ ପ୍ରଶ୍ନ ପଚାରିଥିଲେ।