ନୂଆଦିଲ୍ଲୀ: ଶେଷ ହେବାକୁ ବସିଛି ବର୍ଷ 2020 । ଅଦୃଶ୍ୟ ମହାମାରୀ ଦ୍ବାରା ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ପାଇଁ ଆହ୍ବାନ ସାଜିଥିଲା ବର୍ଷ 2020 । ପ୍ରଭାବିତ ହୋଇଥିଲା ଉଭୟ ଜୀବନ ଓ ଜୀବିକା । ବାହାରକୁ ବାହାରିବା ବାରଣ ଥିବାରୁ ସର୍ବାଧିକ ପ୍ରଭାବିତ ହୋଇଥିଲା କ୍ରୀଡାକ୍ଷେତ୍ର । ଏହିକ୍ରମରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ବର୍ଷ 2020 ଶୁଭଙ୍କର ହୋଇନାହିଁ ।
ବିନା କୌଣସି ଅନ୍ତର୍ଜାତୀୟ ଶତକରେ ବିରାଟଙ୍କ ବର୍ଷ ଶେଷ ହେବାକୁ ଯାଉଛି । କାରଣ ଭାରତୀୟ ଟିମ 26 ଡିସେମ୍ବରରେ ଭାରତୀୟ ଟିମ ମେଲବୋର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ ଖେଳିବ । ମାତ୍ର ପ୍ରଥମ ଥର ବିରାଟ ପିତା ହେବାକୁ ଯାଉଥିବାରୁ ଏହି ମ୍ୟାଚ ଖେଳିବେ ନାହିଁ ।
ଫଳରେ ଶତକଶୂନ୍ୟ ଭାବେ ବିରାଟଙ୍କ ବର୍ଷ ଶେଷ ହେବ । ଏହା ବିରାଟଙ୍କ 12 ବର୍ଷର କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ହୋଇଛି ଯେ, କୌଣସି ଅନ୍ତର୍ଜାତୀୟ ଶତକ ବିନା ବିରାଟ ବର୍ଷ ଶେଷ କରିଛନ୍ତି ।
ବିରାଟ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ ବର୍ଷ 2008ରେ ଶେଷ ଥର ପାଇଁ ଶତକ ଶୂନ୍ୟ ରହିଥିଲେ । ତେବେ ବିରାଟ ସେହି ବର୍ଷ ମାତ୍ର 5ଟି ମ୍ୟାଚ ଖେଳିଥିଲେ ।
କିନ୍ତୁ ଚଳିତ ଥର 22ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । କୋରାେନା କାରଣରୁ ପ୍ରାୟ 9 ମାସ କୌଣସି ମ୍ୟାଚ ଖେଳି ପାରିନଥିଲେ । 2009 ପରେ ପ୍ରଥମ ଥର କୋହଲି 22ରୁ କମ ସଂଖ୍ୟକ ମ୍ୟାଚ ଖେଳିଛନ୍ତି । ତେବେ 7ଟି ଅର୍ଦ୍ଧଶତକ ଚଳିତ ବର୍ଷ ହାସଲ କରିଛନ୍ତି ।
କୋହଲି ବର୍ଷ 2019ରେ 7ଟି ଶତକ ଓ 14 ଟି ଅର୍ଦ୍ଧଶତକ, 2018ରେ 11 ଶତକ ଓ 9ଟି ଅର୍ଦ୍ଧଶତକ ଓ 2017ରେ 11ଟି ଶତକ, 10ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।
ବିରାଟ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ 3ଥର ଶତକର ନିକଟତର ହୋଇଥିଲେ ମଧ୍ୟ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି । ଆଡିଲେଡ ଟେଷ୍ଟର ପ୍ରଥମ ଇଂନିସରେ 74 ରନର ଇଂନିସ ଖେଳିଥିଲେ । ଚଳିତ ବର୍ଷ ଦିନିକିଆରେ 5ଟି ଅର୍ଦ୍ଧଶତକ, ଟେଷ୍ଟ ଓ ଟି-20ରେ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ