ନୂଆଦିଲ୍ଲୀ: ଚଳିତ ସଂସ୍କରଣର ବିଜୟ ହଜାରେ ଟ୍ରଫି ଫାଇନାଲ ମ୍ୟାଚ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଫିଲ୍ଡିଂ ସମୟରେ ମୁମ୍ବାଇ କ୍ୟାପଟେନ ପୃଥୀ ଶ ଆହତ ହୋଇଥିଲେ । ପରେ ତାଙ୍କୁ ପଡିଆରୁ ବାହାରକୁ ନିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଥିବା ପୃଥୀ, ଉତ୍ତରପ୍ରଦେଶ ଇଂନିସର 24ତମ ଓଭରରେ ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଥିଲେ । ଉତ୍ତର ପ୍ରଦେଶ ଓପନର ବ୍ୟାଟ୍ସମ୍ୟାନ ମାଧବ କୌଶିକ, ଯୁବ ଲେଗସ୍ପିନର ପ୍ରଶାନ୍ତ ସୋଲାଙ୍କିକୁ ସଟ୍ ଖେଳିଥିଲେ ଓ ବଲ୍ ସିଧା ପୃଥୀଙ୍କୁ ବାଜିଥିଲା ।
ବାମ ଗୋଡରେ ବଲ୍ ବାଜିବା ପରେ ଜୋର୍ରେ ଯନ୍ତ୍ରଣା ସହ ପଡିଆରେ ପଡିଯାଇଥିଲେ ପୃଥୀ । ଏହାପରେ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ