ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆୟୋଜନ ପାଇଁ ଏମିରେଟସ କ୍ରିକେଟ ବୋର୍ଡ(ECB) ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି। ଏନେଇ ବିସିସିଆଇ ନିକଟରେ ଅଫର ରଖିଥିବା ନେଇ ବୋର୍ଡ ସ୍ପଷ୍ଟ କରିଛି ।
ଆଇପିଏଲର 13ତମ ସଂସ୍କରଣ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମେ ଏପ୍ରିଲ 15 ଓ ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି । ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ସ୍ଥଗିତ ହେଲେ, ବର୍ଷ ଶେଷ ଭାଗରେ ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି ।
ପୂର୍ବରୁ ଏମିରେଟସ କ୍ରିକେଟ ବୋର୍ଡ ସଫଳତାର ସହ ଆଇପିଏଲ ମ୍ୟାଚ ଆୟୋଜନ କରିଛି । ଏକ ନ୍ୟୁଟ୍ରାଲ ଭେନ୍ୟୁ ଭାବେ ଏକାଧିକ ଦ୍ବିପାକ୍ଷିକ ସିରିଜର ସଫଳ ଆୟୋଜନ ମଧ୍ୟ କରିଛି ।
ତେବେ ଜୁନ 10ରେ ଆଇିସିସି ବୋର୍ଡ ବୈଠକରେ ଟି-20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ହେବ । ଏହାପରେ ଆଇପିଏଲ ନେଇ ବିସିସିଆଇ ସ୍ପଷ୍ଟ କରିବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ