କେପଟାଉନ: ଟି-20 ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି ଇଂଲଣ୍ଡ । ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟି-20 ମାନ୍ୟତାରେ ଅଷ୍ଟ୍ରେଲିଆକୁ ପଛକୁ ଠେଲି ଶୀର୍ଷ ସ୍ଥାନ ଅକ୍ତିଆର କରିଛି ଇଂଲଣ୍ଡ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜକୁ 3-0ରେ ମୂଳପୋଛ କରିବା ସହ ଏହି ସଫଳତା ହାସଲ କରିଛି ଇଂଲଣ୍ଡ ।
ତୃତୀୟ ତଥା ଶେଷ ଟି-20 ମ୍ୟାଚରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକାକୁ 9 ୱିକେଟରେ ହରାଇଛି । ଏଥିସହିତ ଇଆନ ମୋର୍ଗାନଙ୍କ ନେତୃତାଧୀନ ଇଂଲଣ୍ଡ 2018ରୁ ଟି-20 ସିରିଜ ବିଜୟ ଧାରାକୁ ବଜାୟ ରଖିଛି । ଇଂଲଣ୍ଡ ଦିନିକିଆରେ ମଧ୍ୟ ନଂ1 ସ୍ଥାନରେ ରହଛି । ତେବେ ଟେଷ୍ଟ ମାନ୍ୟତାରେ 4ର୍ଥ ସ୍ଥାନରେ ରହିଛି ।
ଅନ୍ୟପଟେ ଭାରତ ଟି-20 ମାନ୍ୟତାର ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜର ଫଳାଫଳ ମଧ୍ୟ ମାନ୍ୟତାରେ ଫରକ ଆଣିବା ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ 99 ରନର ଇଂନିସ ଖେଳିଥିବା ଇଂଲଣ୍ଡର ଡେଭିଡ ମଲାନ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି । ପରେ ପାକିସ୍ତାନର ବାବାର ଆଜମ, ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ଓ ଭାରତର ଲୋକେଶ ରାହୁଲ ରହିଛନ୍ତି ।
ବୋଲିଂ ମାନ୍ୟତାରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ମୁଜୀବ-ଅର ରେହମାନ ଓ ଅଷ୍ଟ୍ରେଲୀୟ ବୋଲର ଆଷ୍ଟନ ଆଗରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ