ଗାଲେ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ସୋମବାର 6 ୱିକେଟରେ ଜିତିନେଇଛି ଇଂଲଣ୍ଡ । ଏଥିସହ ଦୁଇଟିକିଆ ଟେଷ୍ଟ ସିରିଜକୁ 2-0ରେ ମୂଳପୋଛ କରିନେଇଛି ଜୋ ରୁଟ୍ଙ୍କ ଦଳ । ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ବିଜୟ ପାଇଁ ଘରୋଇ ଶ୍ରୀଲଙ୍କା, ଇଂଲଣ୍ଡ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରଖିଥିଲା ।
ଦୁଇ ଇଂଲିସ ସ୍ପିନର ଜାକ୍ ଲିଚ ଓ ଡୋମିନିକ ବେସ୍ ଘାତକ ବୋଲିଂ ସହ ମିଳିତ ଭାବେ 8ଟି ୱିକେଟ ହାତେଇଥିଲେ । ଫଳରେ ଶ୍ରୀଲଙ୍କା ଦ୍ବିତୀୟ ଇଂନିସରେ ମାତ୍ର 126 ରନରେ ସୀମିତ ରହିଥିଲା ।
ଶ୍ରୀଲଙ୍କା ପ୍ରଥମ ଇଂନିସରେ ଅଭିଜ୍ଞ ମାଥ୍ୟୁସଙ୍କ ଶତକ ଓ ଡିକୱାଲାଙ୍କ 92 ରନ ବଳରେ 381 ରନ କରିଥିଲା । ଜବାବରେ ଭ୍ରମଣକାରୀ ଇଂଲଣ୍ଡ 344 ରନ କରିପାରିଥିଲା । ଜୋ ରୁଟ 186 ରନର ମାରାଥନ ଇଂନିସ ଖେଳିଥିଲେ । ବଟଲର ମଧ୍ୟ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।
ମାତ୍ର ଦ୍ବିତୀୟ ଇଂନିସରେ ଦୁଇ ଇଂଲଣ୍ଡ ସ୍ପିନରଙ୍କ କମାଲ ଫଳରେ ଶ୍ରୀଲଙ୍କା 126ରନରେ ଅଲଆଉଟ ହୋଇଥିଲା । ପରେ 164 ରନର ବିଜୟ ଲକ୍ଷ୍ୟକୁ 4 ୱିକେଟ ହରାଇ ଜିତିନେଇଛି ଇଂଲଣ୍ଡ । ଜୋମିନିକ ସିବଲେ 56 ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର ଅପରାଜିତ 46 ରନର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ