ନୂଆଦିଲ୍ଲୀ: ଓପନର୍ ଶିଖର ଧୱନ ଆଶା କରୁଛନ୍ତି ଯେ ଆଇପିଏଲ୍ ଚଳିତ ବର୍ଷ ହେବ କାରଣ ସେ ବିଶ୍ବାସ କରୁଛନ୍ତି ଯେ ଏହା କୋଭିଡ -19 ବିସ୍ତାର ହେତୁ ଲୋକଙ୍କୁ ଟେନସନରୁ ରକ୍ଷା କରିବାରେ ସାହାଯ୍ୟ କରିବ । 6 ବର୍ଷ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବା ପରେ ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ଧୱନ କହିଛନ୍ତି, ଯେପର୍ଯ୍ୟନ୍ତ ସୁରକ୍ଷା ଏବଂ ପରିମଳ ବ୍ୟବସ୍ଥା ଉପରେ ଦକ୍ଷତାର ସହ ଦୃଷ୍ଟି ଦିଆଯାଉଛି ସେ ପର୍ଯ୍ୟନ୍ତ ଆଇପିଏଲ୍ ସମ୍ଭାବନା ଦେଖାଯାଉଛି।
“ଆଶା କରୁଛି, ଆଇପିଏଲ୍ ହେବ । ମୁଁ ସବୁବେଳେ ଏକ ସକାରାତ୍ମକ ଢଙ୍ଗରେ ଚିନ୍ତା କରେ । ଯଦି ଟୁର୍ଣ୍ଣାମେଣ୍ଟ ଆଗକୁ ବଢେ ତେବେ ଏହା ପ୍ରକୃତରେ ଭଲ ହେବ । ସମସ୍ତଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯଦି ଏହା ଅନୁଷ୍ଠିତ ହୁଏ ତେବେ ଏହା ପ୍ରକୃତରେ ଭଲ ହେବ କାରଣ ଏହା ଅନେକ ସକାରାତ୍ମକତା ଆଣିଥାଏ ବୋଲି ଧୱନ ଏକ ଇନଷ୍ଟାଗ୍ରାମ ଲାଇଭ ଭିଡିଓ ଚାଟରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ କହିଛନ୍ତି ।
‘‘ପରିବେଶ ଏବଂ ମନୋବଳକୁ ସୁଦୃଢ଼ କରିବା ପାଇଁ କିଛି କ୍ରୀଡା ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆଇପିଏଲ୍ ଫେରେ ତେବେ ଏହାର ବହୁତ ପ୍ରଭାବ ପଡ଼ିବ।”
ତେବେ ଫ୍ୟାନ୍ସଙ୍କ ଅନୁପସ୍ଥିତିରେ ଆଇପିଏଲ୍ ଖେଳିବାରେ ଆଗଭଳି ମଜା ରହିବନି ବୋଲି କହିଛନ୍ତି ଧୱନ । ବନ୍ଦ ଦ୍ବାର ପଛରେ ଆଇପିଏଲ ହେବାର ସମ୍ଭାବନା ଅଧିକ ରହିଛି ଏବଂ ସମଗ୍ର ଭାରତରେ କ୍ରୀଡା ଷ୍ଟାଡିୟମ୍ ଖୋଲାଯିବା ପରେ ଚଳିତ ବର୍ଷ ଆଇପିଏଲ ହେବାର ସମ୍ଭାବନାକୁ ମଜବୁତ ହୋଇଛି । ବିରାଟ କୋହଲି ଏହା ପୂର୍ବରୁ କହିଥିଲେ ଯେ ବିନା ଦର୍ଶକରେ ‘ସମାନ ଯାଦୁ’ ରହିବ ନାହିଁ ଏବଂ ଧୱନ ତାଙ୍କ ଅଧିନାୟକଙ୍କ ଚିନ୍ତାଧାରାରେ ସହମତ ହୋଇଥିଲେ।
‘‘ନିଶ୍ଚିତ ଭାବେ ଯଦି ବନ୍ଦ ଦ୍ବାର ପଛରେ ଟୁର୍ଣ୍ଣାମେଣ୍ଟ ହୁଏ ତେବେ ଆମେ ପ୍ରଶଂସକମାନଙ୍କ ଆଗରେ ଉତ୍ସାହ ଓ ସେହି ଆକର୍ଷଣକୁ ମିସ କରିବୁ । କିନ୍ତୁ 2 ମାସ ଧରି ଘରେ ବସିବା ପରେ ଆମ ପାଇଁ ମଧ୍ୟ ଏହା ଏକ ସୁଯୋଗ ହେବ,’’ ବୋଲି ସେ କହିଛନ୍ତି ।
‘‘ଥରେ ଫେରିବା ପରେ ଆମ ଦଳ ପାଇଁ ଖେଳିବା ଏବଂ ପ୍ରଦର୍ଶନ କରିବା ପାଇଁ ଆମେ ସମସ୍ତେ ଉତ୍ସାହିତ ରହିବୁ, ଏହା ଖୁବ ମଜାଦାର ହେବ । ତେବେ ଯେତେବେଳେ ଆମେ ଖେଳୁ, ଏହା ସର୍ବଦା ଏକ ଭଲ ଅନୁଭବ ଅଟେ ।”