କୋଚି: ତାଙ୍କ ମୁହଁରେ ବ୍ୟାକୁଳତାର ଝଲକ ପରିସ୍କାର ଦେଖାଯାଉଥିଲା ଯେତେବେଳେ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ କହିଥିଲେ ଯେ ‘‘ମୋତେ ଡାକ ଏବଂ ମୁଁ ଆସି ଯେକୌଣସି ସ୍ଥାନରେ କ୍ରିକେଟ ଖେଳିବି’’ । 2007 ବିଶ୍ବ ଟି-20 ଏବଂ 2011 ବିଶ୍ବକପ ବିଜେତା ଭାରତୀୟ ଦଳର ଅଂଶ ରହିଥିବା ଶ୍ରୀସନ୍ଥ ତାଙ୍କର ସାତ ବର୍ଷର ନିଷେଧାଦେଶ ଶେଷ ହେବା ପରେ ଏହା କହିଛନ୍ତି ।
‘‘ମୁଁ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଏଜେଣ୍ଟମାନଙ୍କ ସହ କଥାବାର୍ତ୍ତା କରୁଛି ଯେହେତୁ ମୁଁ ଏହି ଦେଶଗୁଡିକର କ୍ଲବ ସ୍ତରରେ କ୍ରିକେଟ ଖେଳିବାକୁ ଚାହୁଁଛି । ମୋର ଲକ୍ଷ୍ୟ ହେଉଛି 2023 ବିଶ୍ବକପରେ ମୋ ଦେଶର ପ୍ରତିନିଧିତ୍ବ କରିବା । ଆଉ ଏକ ଇଚ୍ଛା ହେଉଛି ମୁଁ ଲର୍ଡସରେ ଏକ ମ୍ୟାଚ ଖେଳିବାକୁ ଚାହୁଁଛି ଯେତେବେଳେ ଏମସିସି ସାରା ବିଶ୍ବ ପାଇଁ ଖେଳିବ,’’ ବୋଲି ସେ କହିଛନ୍ତି ।
ବିସିସିଆଇ 2013 ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସ୍ପଟ ଫିକ୍ସିଂ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଅଗଷ୍ଟ 2013ରେ ଶ୍ରୀସନ୍ଥଙ୍କୁ ଆଜୀବନ ନିଷିଦ୍ଧ କରିଥିଲା । 2015 ମସିହାରେ, ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ ।
2018ରେ କେରଳ ହାଇକୋର୍ଟ ବିସିସିଆଇ କ୍ରିକେଟରଙ୍କ ଉପରେ ଲଗାଯାଇଥିବା ଜୀବନ ନିଷେଧାଦେଶକୁ ଖଣ୍ଡନ କରିଥିଲେ ଏବଂ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ମାମଲା ମଧ୍ୟ ଖାରଜ କରିଥିଲେ । ତେବେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ପ୍ରତିବନ୍ଧକକୁ ପୁନଃ ସ୍ଥାପିତ କଲା ।
ଏହାପରେ ଶ୍ରୀସନ୍ଥ ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଏବଂ ଗତ ବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ସମର୍ଥନ କରିଥିଲେ କିନ୍ତୁ ବିସିସିଆଇକୁ ତାଙ୍କ ଦଣ୍ଡର ପରିମାଣ ହ୍ରାସ କରିବାକୁ କହିଥିଲେ। ଏହାପରେ କ୍ରିକେଟ ବୋର୍ଡ ତାଙ୍କ ଜୀବନ ପ୍ରତିବନ୍ଧକକୁ ସାତ ବର୍ଷକୁ ହ୍ରାସ କରିଥିଲା ଯାହା ଚଳିତ ମାସ ସେପ୍ଟେମ୍ବର 12ରେ ଶେଷ ହୋଇଛି ।
37 ବର୍ଷୀୟ ଖେଳାଳି ଏପର୍ଯ୍ୟନ୍ତ 27 ଟି ଟେଷ୍ଟ, 53ଟି ଦିନିକିଆ ଏବଂ 10ଟି ଟି-20 ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ 87, 75 ଏବଂ 7 ୱିକେଟ ନେଇଛନ୍ତି।
@IANS