ଦୁବାଇ: ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମେତ ସପୋର୍ଟ ଷ୍ଟାଫ୍ ୟୁଏଇରେ ପହଞ୍ଚିଛନ୍ତି । ଆସନ୍ତାମାସରୁ ଆରମ୍ଭ ହେଉଥିବା ଟିମର ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିସହ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିଛନ୍ତି ।
ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର୍ ଶ୍ରୀଧର ନିଜ ନିଜର ସହରରୁ ୟୁଏଇରେ ପହଞ୍ଚିଛନ୍ତି ।
ସମସ୍ତ କୋଚିଂ ଷ୍ଟାଫ୍ ଓ କୋଚଙ୍କର 3ଟି ବାଧ୍ୟତାମୂଳକ ଆରଟି-ପିସିଆର ଟେଷ୍ଟ କରାଯିବ । ଚେତେଶ୍ବର ପୂଜାରା, ହନୁମା ବିହାରୀ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ପୃଥକ ଜୈବ ସୁରକ୍ଷା ବଳୟର ବନ୍ଦୋବସ୍ତ କରାଯାଇଥିବା ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ 30 ଜଣିଆ ଭାରତୀୟ ଟିମ ଯାତ୍ରା କରିବା ସମ୍ଭାବନା ରହିଛି । ଏଥିସହ 20 ଜଣ ସପୋର୍ଟ ଷ୍ଟାଫ ମଧ୍ୟ ରହିଛନ୍ତି । ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନିରେ 4ଟି ଟେଷ୍ଟ ଖେଳାଯିବ । ଅନ୍ୟପଟେ ସିଡନି ଓ କାନବେରାରେ ଟି-20 ଓ ଦିନିକିଆ ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ଆଡିଲେଡରେ ଦିବାରାତ୍ର ଟେଷ୍ଟ ଖେଳାଯିବା ନେଇ ସ୍ଥିର ହୋଇଛି । ମାତ୍ର କ୍ବାରେଣ୍ଟିନ ନିୟମ ନେଇ ଚୁଡାନ୍ତ ସୂଚନା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ, ବିସିସିଆଇର ହସ୍ତଗତ ହୋଇନଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ