ଅଗରତାଲା: ଚଳିତ ରଣଜୀ ଟ୍ରଫିରେ ଅପରାଜେୟ ରହିଛି ଟିମ ଓଡିଶା । କାରଣ ତ୍ରିପୁରା ବିପକ୍ଷ 4ର୍ଥ ମ୍ୟାଚ ଡ୍ର' ରେ ସମାପ୍ତ ହୋଇଛି । ପ୍ରଥମ ଦୁଇ ଦିନ ଖେଳ ବର୍ଷାରେ ଧୋଇଯାଇଥିବା ବେଳେ ଶେଷ ଦୁଇ ଦିନ ଖେଳ ପରେ ଫଳାଫଳ ଡ୍ର ଆସିଛି । ତେବେ ତ୍ରିପୁରା ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ 3 ପଏଣ୍ଟ ପାଇଥିବା ବେଳେ ଟିମ ଓଡ଼ିଶାକୁ 1 ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।
ତେବେ 3ୟ ଦିନର ଖେଳର ପ୍ରଥମ ବ୍ୟାଟିଂରେ ତ୍ରିପୁରା ପ୍ରଥମ ଇନିଂସରେ 6 ୱିକେଟ୍ ହରାଇ 288 ରନ୍ କରି ପାଳି ଘୋଷଣା କରିଥିଲା । ମାତ୍ର ଓଡିଶା ନିଜର ପ୍ରଥମ ପାଳିରେ 121 ରନ୍ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଫଲୋଅନ ଖେଳିବାକୁ ବାଧ୍ୟ ହୋଇଥିଲା ଭ୍ରମଣକାରୀ ଓଡିଶା ଦଳ ।
ତେବେ ଫଲୋଅନରେ ଓଡ଼ିଶା 1 ୱିକେଟ୍ ବିନିମୟରେ 71 ରନ୍ କରିଥିବା ବେଳେ ମ୍ୟାଚ ସମାପ୍ତ ହୋଇଯାଇଥିଲା । ଦଳ ପକ୍ଷରୁ ଗୋବିନ୍ଦ ପୋଦ୍ଦାର 33 ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି 26 ରନ୍ କରି ଅପରାଜିତ ଥିଲେ । ଶାନ୍ତନୁ ମିଶ୍ର 6 ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ପ୍ରଥମ ଇନିଂସରେ ଓଡ଼ିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ 51 ରନ୍ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 21, ଶାନ୍ତନୁ ମିଶ୍ର 11, ଗୋବିନ୍ଦ ପୋଦ୍ଦାର 8, ଦେବାଶିଷ ସାମନ୍ତରାୟ 5, ସୁଜିତ୍ ଲେଙ୍କା 5ରନ କରିଥିଲେ ।
ଉଲ୍ଲେଖଥାଉ କି, ଚଳିତ ସିଜିନରେ ଟିମ ଓଡ଼ିଶା ପ୍ରଥମ ତିନୋଟି ମ୍ୟାଚରେ ବୋନସ୍ ପଏଣ୍ଟ ସହ ବିଜୟ ହୋଇଛି । ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ 3 ରନ୍, ଦ୍ବିତୀୟ ମ୍ୟାଚରେ ସର୍ଭିସେସକୁ ଇନିଂସ୍ ଓ 31 ରନ ଏବଂ ତୃତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ 10 ୱିକେଟରେ ପରାସ୍ତକରିଥିଲା । ଓଡ଼ିଶା ପଞ୍ଚମ ମୁକାବିଲାରେ ହରିୟାଣାକୁ ଭେଟିବ ।