କଟକ: ଶେଷ ପର୍ଯ୍ୟାୟରେ ଚଳିତ ରଣଜୀ ସିଜିନ-2020 ମୁକାବିଲା । ଅନ୍ତିମ ରାଉଣ୍ଡ ଲିଗ ମ୍ୟାଚ ପରେ କ୍ବାର୍ଟର-ସେମି ଟକ୍କର । ବୁଧବାର ଗ୍ରୁପ-ସି' ର ଶେଷ ରାଉଣ୍ଡ ଲିଗ ମ୍ୟାଚରେ ଝାଡଖଣ୍ଡକୁ ଭେଟୁଛି ଟିମ ଓଡିଶା । ଘରୋଇ ଗ୍ରାଉଣ୍ଡ ବାରବାଟୀରେ ଏହି ଲଢେଇ ।
ତେବେ ଝାଡଖଣ୍ଡ ସହ ଓଡିଶାର ମ୍ୟାଚ ସତ । ମାତ୍ର ଟିମ ଓଡିଶାର କ୍ବାର୍ଟର ରାସ୍ତାରେ ସର୍ଭିସେସ କଣ୍ଟା । କାରଣ ହେଉଛି ମାତ୍ର କିଛିଟା ପଏଣ୍ଟର ଫରକ୍ । 8ଟି ମ୍ୟାଚରୁ 5ଟି ବିଜୟ, 2ଟି ପରାଜୟ ଓ ଗୋଟିଏ ଡ୍ର ସହ 35 ପଏଣ୍ଟ ପାଇ ଗ୍ରୁପ-ସି ପଏଣ୍ଟ ତାଲିକାର 2ୟ ସ୍ଥାନରେ ରହିଛି ଓଡିଶା । ସେହିପରି ସମାନ ସଂଖ୍ୟକ ବିଜୟ ପରାଜୟ ଓ ଡ୍ର ସହ 33 ପଏଣ୍ଟ ପାଇ 3ୟ ସ୍ଥାନରେ ରହିଛି ସର୍ଭିସେସ ଦଳ । ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ କ୍ବାର୍ଟର ଟିକେଟ ଅର୍ଜନ କରି ପାରିବେ । ଯେତେବେଳେ କି 39 ପଏଣ୍ଟ ସହ ଗ୍ରୁପ ଟପ୍ପର ରହିଛି ଜାମ୍ମୁ କାଶ୍ମୀର ।
ଯଦି ଟିମ ଓଡିଶା ତାର ଘରୋଇ ଗ୍ରାଉଣ୍ଡରେ ଝାଡଖଣ୍ଡକୁ ମାତ୍ ଦେଉଛି, ତେବେ ଦଳର କ୍ବାର୍ଟର ରାସ୍ତା ସଫା । ମାତ୍ର ଯଦି ପରାଜୟର ମୁହଁ ଦେଖୁଛି, ତେବେ ସର୍ଭିସେସର ବିଜୟ ପରାଜୟ ଉପରେ ଦଳର କ୍ବାର୍ଟର ଟିକେଟ ନିର୍ଭର କରୁଛି । କିମ୍ବା ଯଦି ଓଡିଶା କେବଳ ପ୍ରଥମ ଇଂନିସରେ ଆଗ୍ରଣୀ ରହୁଛି ଓ ମ୍ୟାଚରେ ପରାସ୍ତ ହେଉଛି ତେବେ ସର୍ଭିସେସର ପରାଜୟ ଅତ୍ୟନ୍ତ ଆବଶ୍ୟକ ହୋଇପଡୁଛି । ଏପରି ସ୍ଥିତିରେ ଘରୋଇ ଗ୍ରାଉଣ୍ଡ ଶେଷ ମ୍ୟାଚ ଦଳ ପାଇଁ କର ବା ମର ସ୍ଥିତି ଆଣି ଦେଇଛି । ସୂଚନାଯୋଗ୍ୟ ଛତିଶଗଡ ବିପକ୍ଷରେ ମ୍ୟାଚ ଖେଳୁଛି ସର୍ଭିସେସ ।
ତେବେ ମଙ୍ଗଳବାର ଉଭୟ ଝାଡଖଣ୍ଡ ଓ ଓଡିଶା ଦଳ ବାରାବାଟୀ ନେଟ୍ସରେ ଖୁବ୍ ଝାଳ ବୁହାଇଛନ୍ତି । ବାରବାଟୀ ବ୍ୟାଟିଂ ଟ୍ରାକରେ ଟିମ ଓଡିଶାର ଦବଦବା ରହିଆସିଛି । ଫଳରେ ଦେଖିବାକୁ ବାକି ରହିଲା ଏହି କର ବା ମର ମ୍ୟାଚରେ କଣ କମାଲ କରୁଛି ଘରୋଇ ଓଡିଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ