ହାଇଦ୍ରାବାଦ: ଆଜିର ଦିନର କ୍ରିକେଟ ଇତିହାସରେ ଘଟିଥିଲା ଏକ ବିରଳ ଘଟଣା । ବର୍ଷ 2013 ଜୁଲାଇ 11ରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଷ୍ଟନ ଅଗର 11ନଂ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ଟେଷ୍ଟ ସ୍କୋରର ରେକର୍ଡ କରିଥିଲେ ।
ଟ୍ରେଣ୍ଟ ବ୍ରିଜରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଆସେସ ସିରିଜର ପ୍ରଥମ ଟେଷ୍ଟରେ 11 ନଂରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ବ୍ୟାଟିଂ ଆସିଥିଲେ ଅଗର । ମ୍ୟାଚର 2ୟ ଦିନରେ ବ୍ୟାଟିଂ କରିବାକୁ ଆସି 98 ରନର ରେକର୍ଡ ଇଂନିସ ଖେଳିଥିଲେ । ଏଥିସହିତ ଇଂଲଣ୍ଡ ବିପକ୍ଷରେ 95 ରନ କରିଥିବା ଟିନୋ ବେଷ୍ଟଙ୍କ ରେକର୍ଡ ଭଙ୍ଗ ହୋଇଥିଲା । ଇଂଲଣ୍ଡ ପ୍ରଥମ ଇଂନିସରେ 215 ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ 117/9ରେ ସଙ୍କଟରେ ପଡିଥିଲା । ଏହାପରେ ଫିଲିପ୍ ହ୍ୟୁଗସଙ୍କ ସହ ମିଶି 163 ରନର ପାର୍ଟନରସିପ କରିଥିଲେ ।
ଅଗରଙ୍କ ଇଂନିସରେ 12 ଚୌକା ଓ 2 ଛକା ସାମିଲ ରହିଥିଲା । ପରେ ଅଷ୍ଟ୍ରେଲିଆ ଇଂନିସର 65ତମ ଓଭରରେ ଷ୍ଟୁଆର୍ଟ ବ୍ରଡଙ୍କ ଦ୍ବାରା ସେ ଆଉଟ ହୋଇଥିଲେ । ତେବେ ଏହା ଅଷ୍ଟ୍ରେଲିଆକୁ ପରାଜୟକୁ ରକ୍ଷା କରିପାରିନଥିଲା । ପ୍ରଥମ ଟେଷ୍ଟରେ 14 ରନରେ ବିଜୟୀ ହୋଇଥିଲା ଇଂଲଣ୍ଡ ।
ଟିମ ଇଣ୍ଡିଆର ଜାହିର ଖାନ ମଧ୍ୟ ଟେଷ୍ଟ କ୍ରିକେଟରେ ଶେଷ ବ୍ୟାଟ୍ସମ୍ୟାନ ଭାବେ 2010ରେ ସେ ବାଂଲାଦେଶ ବିପକ୍ଷ ଢାକା ଟେଷ୍ଟରେ 75 ରନର ଇଂନିସ ଖେଳିଥିଲେ ।