ମୁମ୍ବାଇ: ପୂର୍ବତନ ଟିମ ଇଣ୍ଡିଆ ଓ ଗୁଜୁରାଟ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥୀବ ପଟେଲ ଆଇପିଏଲ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହ ଯୋଡି ହୋଇଛନ୍ତି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ଚୟନକାରୀ ଭାବେ ସେ ସାମିଲ ହୋଇଛନ୍ତି ।
ଭାରତ ପାଇଁ ପାର୍ଥୀବ 25ଟି ଟେଷ୍ଟ, 38ଟି ଦିନିକିଆ ଓ ଦୁଇଟି ଟି-20 ମ୍ୟାଚ ଖେଳିଛନ୍ତି । ବୁଧବାର 18 ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟରୁ ସେ ସନ୍ୟାସ ନେଇଥିଲେ ।
"ପାର୍ଥୀବଙ୍କ ପାଖରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରାୟ ଦୁଇ ଦଶନ୍ଧିର ଭରପୁର ଅଭିଜ୍ଞତା ରହିଛି । ଏଥିସହ ଆଇପିଏଲ ପ୍ରତିଯୋଗୀତାର ଜ୍ଞାନ ମଧ୍ୟ ରହିଛି ।" ଏହା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଅମ୍ବାନୀ । ଏଥିସହ ପାର୍ଥୀବ ପଟେଲ ଫ୍ରାଞ୍ଚାଇଜରେ ସାମିଲ ହେବାକୁ ନେଇ ସେ ଉତ୍ସାହିତ ଥିବା କହିଛନ୍ତି ।
ପାର୍ଥୀବ ଆଇପିଏଲ ବିଜେତା ଟିମ ମୁମ୍ବାଇ ଇଣ୍ଡିଆନ୍ସର 2015 ଓ 2017 ସଂସ୍କରଣର ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସେ କୋଚିଂ ଷ୍ଟାଫ୍ ଓ ପ୍ରତିଭା ଅନ୍ବେଷଣ ଦିଗରେ କାର୍ଯ୍ୟ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ