ହାଇଦ୍ରାବାଦ: ସାଧାରଣତ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିଲା, ଯେତେବେଳେ ମାର୍ଚ୍ଚ 29ରେ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) 13ତମ ସିଜିନର ଉଦଘାଟନୀ ମ୍ୟାଚ ଚେନ୍ନାଇ-ମୁମ୍ବାଇ ଭିତରେ ହେବାର ଖବର ସାମ୍ନାକୁ ଆସିଥିଲା । କାରଣ ପ୍ରାୟ ଦୀର୍ଘ 8 ମାସ ପରେ ପଡିଆରେ ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ପଡିଆକୁ ଓହ୍ଲାଇଥାନ୍ତେ । ମାତ୍ର ଆଜି ତାହା ହୋଇ ପାରିଲା ନାହିଁ । ଭାଗ୍ୟର ବିଡମ୍ବାନ ସହ କୋରୋନା ଭାଇରସ ପାଇଁ ଆଇପିଏଲ ସ୍ଥଗିତ ରଖାଗଲା । ଦୀର୍ଘ 8ମାସ ପରେ ପୁଣି ଥରେ ନିରାଶା ହେବାକୁ ପଡିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ।
ଯଦି ସମସ୍ତେ ଯୋଜନା ଅନୁଯାୟୀ ଚାଲିଥାନ୍ତେ, ତେବେ ଧୋନି ଏବଂ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ୱାଙ୍ଖଡେ ଷ୍ଟାଡିୟମରେ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଆଇପିଏଲର ଓପିନିଂ ମ୍ୟାଚ ଖେଳୁଥାନ୍ତ । କିନ୍ତୁ ଭାଗ୍ୟ ତାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ପ୍ରଶଂସକଙ୍କୁ ଛାଡି ଦେଇଛି । କୋରୋନା ଭାଇରସ କାରଣରୁ ବିସିସିଆଇ ଆଇପିଏଲ୍ 2020କୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖିଛି ।
ତେବେ ଆଇପିଏଲର ଚଳିତ ସିଜିନ ପାଇଁ ଧୋନି ମଧ୍ୟ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଏପରିକି ଅଭ୍ୟାସ ଅଭ୍ୟାସ ସମୟରେ ସେ 45ବଲରେ 100 ସ୍କୋର କରିଥିଲେ । ଅଭ୍ୟାସ ସିଜିନକୁ ଦେଖିବା ପାଇଁ ମଧ୍ୟ ପ୍ରତିଦିନ ଚେପକ୍ ଷ୍ଟାଡିୟମରେ ଶହ ଶହ ଲୋକ ଏକତ୍ରିତ ହେଉଥିଲେ । କିନ୍ତୁ ଆଇପିଏଲର 13 ତମ ସିଜିନ୍ ସ୍ଥଗିତ ରହିବା ପରେ ଅଭ୍ୟାସ ଅଧିବେଶନ ଛାଡି ଧୋନି ରାଞ୍ଚିରେ ଘରକୁ ଫେରିଥିଲେ ।
ସୂଚନାଯୋଗ୍ୟ, ସିଏସକେକୁ 3ଟି ଆଇପିଏଲ ଟାଇଟଲ ଭେଟିଦେଇଥିବା 38 ବର୍ଷୀୟ ଧୋନି ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ ପରଠାରୁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାଁନ୍ତି । ସେହିପରି ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ମଧ୍ୟ ସେ ନିରବ ରହିଛନ୍ତି । ଏଥିସହ ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରେ ମଧ୍ୟ ନିଜ ପାଇଁ ସ୍ଥାନ ହରାଇ ସାରିଛନ୍ତି ।
ସେହିପରି ଆଇପିଏଲ ବାତିଲ ହେଲେ ଧୋନିଙ୍କ କ୍ୟାରିଅର ଉପରେ ଖଣ୍ଡା ଝୁଲିପାରେ । କାରଣ ସୁନୀଲ ଯୋଶୀଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆର ନୂତନ ଚୟନ ପ୍ୟାନେଲ୍ ପୂର୍ବରୁ କହିସାରିଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନିଙ୍କ ଟି-20 ବିଶ୍ବକପ ଚୟନ କେବଳ ଆଗାମୀ ଆଇପିଏଲ ପ୍ରଦର୍ଶନ ଉପରେ ହିଁ ନିର୍ଭର କରୁଛି । ଏପରିକି ଯୋଶୀଙ୍କ ପୂର୍ବରୁ ଥିବା ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଥିଲେ ଯେ, ଦଳ ଧୋନିଙ୍କଠାରୁ ଆଗକୁ ବଢି ସାରଛି ଏବଂ ଚୟନ ପାଇଁ ତାଙ୍କୁ ପ୍ରଥମେ ଖେଳିବାକୁ ପଡ଼ିବ । ଯଦି ତାଙ୍କର ଆଇପିଏଲ ପ୍ରଦର୍ଶନ ଭଲ ରହେ, ତେବେ ଧୋନିଙ୍କୁ ପୁନଃର୍ବାର ହିସାବକୁ ନିଆଯିବ ।
ଉଲ୍ଲେଖଥାଉ କି, ଆଗାମୀ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି -20 ବିଶ୍ବକପ ଆୟୋଜନ ହେବାକୁ ଯାଉଛି । ଏହି ମେଗା ଇଭେଣ୍ଟ ପାଇଁ ଆଇପିଏଲରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅନ୍ତିମ ଦଳ ଚୟନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବର୍ତ୍ତମାନ, ଆଇପିଏଲ୍ 2020 ଉପରେ କାଳ ବାଦଲ ଛାଇ ଥିବାରୁ ଧୋନିଙ୍କ ଭବିଷ୍ୟତ ବିପଦରେ ଅଛି ବୋଲି କହିବା ଭୁଲ୍ ହେବ ନାହିଁ । ସେହିପରି ଯଦି ଏହି ବିତ୍ତଶାଳୀ ଲିଗ୍ ବାତିଲ ହୁଏ ତେବେ ପ୍ରଶଂସକମାନେ ହୁଏତ ଧୋନିଙ୍କୁ ଆଉ କେବେ ବ୍ଲୁ ଜର୍ସିରେ ଦେଖି ପାରିବେ ନାହିଁ । ଅତିକମରେ କହିପାରିବା ଆଗାମୀ ଟି -20 ବିଶ୍ବକପ୍ରେ ଧୋନିଙ୍କୁ ଦେଖି ପାରିବେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ