ହାଇଦ୍ରାବାଦ: ଅବସରରୁ ଫେରିପାରନ୍ତି ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ । ପୁଣି ଦର୍ଶକ ଦେଖିପାରନ୍ତି ମିଷ୍ଟର 360ଙ୍କ ଅବିଶ୍ବସନୀୟ ସଟ୍। ନୂଆକରି କୋଚ ଦାୟିତ୍ବ ସମ୍ଭାଳିଥିବା ଅନ୍ୟତମ ପୂର୍ବତନ କ୍ରିକେଟର ମାର୍କ ବାଉଚର ଏମିତି କିଛି ସଙ୍କେତ ଦେଇଛନ୍ତି । ଦକ୍ଷିଣ ଆଫ୍ରକା କ୍ରିକେଟ ଟିମର ପ୍ରଦର୍ଶନ ବେଶ କିଛି ଦିନ ହେବ ଖରାପ ରହିଛି ।
ବାଉଚର କହିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମକୁ ପୁଣି ବିଜୟ ଟ୍ରାକକୁ ଫେରାଇବା ତାଙ୍କର ଲକ୍ଷ୍ୟ ରହିଛି । ସେଥିପାଇଁ ସେ ଅଭିଜ୍ଞ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଟିମରେ ଚାହାଁନ୍ତି । 2020 ଟି-20 ବିଶ୍ବକପ ପାଇଁ ସବୁ ଟିମ ପ୍ରସ୍ତୁତି ଚଳାଇଛନ୍ତି। ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକାର ଜଣେ ଶ୍ରେଷ୍ଠ ଖେଳାଳି । ସେଥପାଇଁ ସେ ଡିଭିଲିୟର୍ସଙ୍କୁ ଆଗାମୀ ଟି20 ବିଶ୍ବକପ ଖେଳିବାକୁ କହିବେ ବୋଲି କୋଚ ବାଉଚର କହିଛନ୍ତି । ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଟିମ ନିଜର ଶ୍ରେଷ୍ଠ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ ବୋଲି ମଧ୍ୟ ମାର୍କ ବାଉଚର କହିଛନ୍ତି ।
ଡିଭିଲିୟର୍ସ ମେ 2018 ରେ ଅନ୍ତଜାର୍ତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଆଇପିଏଲ ଟିମ ଆରସିବିରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ଡିଭିଲିୟର୍ସ ଖେଳନ୍ତି। ତାଙ୍କ ଫେରିବା ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନ୍ସ ଖୁସି ଜାହିର କରିଛନ୍ତି।