ନୂଆଦିଲ୍ଲୀ: ଭାରତୀୟ ସ୍ପିନର କୁଲଦୀପ ଯାଦବ ଭାରତ ପାଇଁ ସମସ୍ତ ଫର୍ମାଟରେ ଜଣେ ନିୟମିତ ବୋଲର । ଏହି ବାମହାତୀ ବୋଲରଙ୍କର ମିଡିଲ ଓଭରରେ ଏକାଧିକ ୱିକେଟ ନେବାର କ୍ଷମତା ଅଛି । 6ଟି ଟେଷ୍ଟରେ କୁଲଦୀପ 24.1 ଆଭରେଜରେ 24ଟି ୱିକେଟ ନେଇଥିବାବେଳେ 60ଟି ଦିନିକିଆରେ 26.2 ଆଭରେଜ ସହ 104ଟି ୱିକେଟ ନେଇଛନ୍ତି । ସେହିପରି ଟି-20ରେ ତାଙ୍କର ରେକର୍ଡ ତିନୋଟି ଫର୍ମାଟ ମଧ୍ୟରୁ ଶ୍ରେଷ୍ଠ ରହିଛି ଯେଉଁଥିରେ ସେ 13.8ରେ ଆଭରେଜ ସହ 21 ଟି ମ୍ୟାଚରେ 39 ୱିକେଟ ନେଇଛନ୍ତି ।
ବୋଧହୁଏ, ଏହି କାରଣରୁ କୁଲଦୀପ କୋହଲିଙ୍କ ଅନ୍ୟତମ ବିଶ୍ବସ୍ତ ଖେଳାଳି ହୋଇପାରିଛନ୍ତି ଏବଂ ତାଙ୍କୁ ଖୁବ କମ ସିରିଜରେ ହିଁ ଛାଡି ଦିଆଯାଇଥାଏ । ନ୍ୟୁଜ ଏଜେନ୍ସି ଆଇଏଏନଏସକୁ ଦେଇଥିବା ଏକ ସାକ୍ଷାତକାରରେ କୁଲଦୀପ ପ୍ରକାଶ କରିଛନ୍ତି ଯେ ଅଧିନାୟକ କୋହଲି ତାଙ୍କୁ କିପରି ଉତ୍ସାହିତ କରିଥିଲେ ଏବଂ ତାଙ୍କ ଖେଳରେ ସାହାଯ୍ୟ କରିଥିଲେ।
“ଯଦି ଆପଣଙ୍କ ଅଧିନାୟକ ଆପଣଙ୍କ ଉପରେ ବିଶ୍ବାସ କରନ୍ତି, ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହଜ ହୋଇଯାଏ | ବିରାଟଙ୍କ ଠାରୁ, ଆମେ ଅନେକ ଜିନିଷ ଶିଖୁ ଯେପରି କେମିତି କଠିନ ପରିସ୍ଥିତି ପରିଚାଳନା କରିବା । ସେ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବାରେ କେବେ ବିଫଳ ହୁଅନ୍ତି ନାହିଁ,’’ ବୋଲି 25 ବର୍ଷୀୟ କୁଲଦୀପ କହିଛନ୍ତି ।
“ମୋର ମନେ ଅଛି ଯେତେବେଳେ ମୁଁ ଦଳରେ ନୂଆ ଥିଲି ସେ ମୋତେ ବହୁତ ସମର୍ଥନ କରିଥିଲେ। ବାସ୍ତବରେ, ବର୍ତ୍ତମାନ ମଧ୍ୟ, ସେ ମୋ ପାଇଁ ସର୍ବଦା ରହିଥାନ୍ତି । ସେ ଆପଣଙ୍କ କୌଶଳକୁ ସର୍ବଦା ପ୍ରଶଂସା କରନ୍ତି ।’’
କୁଲଦୀପ ଆହୁରି ମଧ୍ୟ କୋହଲିଙ୍କ ସର୍ବୋତ୍ତମ ଗୁଣ ବିଷୟରେ କହିଛନ୍ତି ଯେ, “ବିରାଟଙ୍କ ସର୍ବୋତ୍ତମ ଗୁଣ ହେଉଛି ସେ ଦଳ ଏବଂ ଏହାର ଖେଳାଳିଙ୍କ କଥା ବୁଝି ପାରନ୍ତି ଯାହା ଆମ କାମକୁ ପଡ଼ିଆରେ ସହଜ କରିଥାଏ।’’
@IANS