ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସୁରେଶ ରାଇନା ଜଣେ ମହାନ ଫିଲ୍ଡର ଭାବେ ଜଣାଶୁଣା । ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ପ୍ରାୟତଃ କ୍ରିକେଟ ପଡ଼ିଆରେ ଡାଇଭ କରି ରନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳେ । ସେ କିଛି ସ୍ମରଣୀୟ କ୍ୟାଚ ମଧ୍ୟ ନେଇଛନ୍ତି ଏବଂ କିଛି କ୍ବିକ ରନ ଆଉଟ କରିଛନ୍ତି । 33 ବର୍ଷୀୟ ରାଇନା କେବଳ ଭାରତ ପାଇଁ ନୁହେଁ, ତାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସରେ ମଧ୍ୟ ଦ୍ରୁତତମ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହୋଇଛନ୍ତି । ଆଉ ତାଙ୍କର ବିଚକ୍ଷଣ ଫିଲ୍ଡିଂ ପାଇଁ ଶ୍ରେଷ୍ଠ ଫିଲ୍ଡର ଭାବରେ ଗଣା ଯାଉଥିବା ଜଣ୍ଟି ରୋଡସ୍ଙ୍କ ଠାରୁ ସେ ପ୍ରଶଂସା ପାଇଛନ୍ତି ।
ଅବସରପ୍ରାପ୍ତ ଦକ୍ଷିଣ ଆଫ୍ରିକା କ୍ରିକେଟର ଜଣ୍ଟି ରୋଡସ୍ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଫିଲ୍ଡର ଭାବରେ ପରିଗଣିତ ହୁଅନ୍ତି । ରୋଡସ୍ଙ୍କ କ୍ୟାରିୟରର ଏକ ହାଇଲାଇଟ୍ ପ୍ୟାକେଜ୍ କ୍ରିକେଟ ଇତିହାସରେ କେତେକ ଉଲ୍ଲେଖନୀୟ କ୍ୟାଚ, ଡାଇଭ ଏବଂ ରନ ଆଉଟକୁ ପ୍ରଦର୍ଶିତ କରେ । ତେବେ ବର୍ତ୍ତମାନ ଏହି ପୂର୍ବତନ ଦକ୍ଷିଣ ଆଫ୍ରିକା ଖେଳାଳି କହିଛନ୍ତି ଯେ ରାଇନା ତାଙ୍କୁ ତାଙ୍କ ଯୁବକ ଦିନର କଥା ମନେ ପକାଇ ଦିଅନ୍ତି ।
ରାଇନାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ଭିଡିଓରେ ରୋଡସ୍ କହିଛନ୍ତି ଯେ, “ମୁଁ ଜଣେ ଫିଲ୍ଡର ଭାବରେ ସର୍ବଦା ତୁମର ଜଣେ ବଡ଼ ପ୍ରଶଂସକ, କାରଣ ତୁମକୁ ଦେଖିଲେ ମୋ ନିଜ କଥା ମନେ ପଡେ । ମୁଁ ଭାବେ ମୁଁ ବି ତୁମ ପରି ଜଣେ ଯୁବକ ହୋଇଥାନ୍ତି ଭଲା ।’’
‘‘ଫିଲ୍ଡରମାନଙ୍କୁ ଦେଖିବା ସେ ଉପଭୋଗ କରନ୍ତି ଯେଉଁମାନେ ଡାଇଭ କରନ୍ତି କାରଣ ଏହା ଖେଳ ପ୍ରତି ଖେଳାଳିଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । “ମୁଁ ଜାଣେ ଭାରତରେ ଏହା ଅର୍ଥ କ’ଣ, ପଡିଆ ଗୁଡିକ କେତେ କଠିନ ତାହା ମୁଁ ଜାଣେ । ତେଣୁ ଯଦି ଆପଣ ସବୁବେଳେ ଡାଇଭ କରନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ପ୍ରତିବଦ୍ଧ,’’ ବୋଲି ରୋଡସ୍ କହିଛନ୍ତି ।
ରାଇନାଙ୍କ ସହ କଥା ହେବାବେଳେ ରୋଡସ୍ ଅନ୍ୟ ଜଣେ ଭାରତୀୟ ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ‘‘ଡାଇଭ ନକଲେ ଯେ ଜାଡେଯା ଖେଳ ପ୍ରତି ପ୍ରତିବଦ୍ଧ ନୁହନ୍ତି ତାହା ନୁହେଁ । ତାଙ୍କ ପାଖରେ ଦ୍ରୁତ ଗତି ଅଛି । ସେ ଡାଇଭ ନକରି କ୍ୟାଚ ପାଇଁ ବଲ ପାଖରେ ପହଁଞ୍ଚି ଯା’ନ୍ତି । ସେ ଆମ ଠାରୁ ଭିନ୍ନ, ଅଳ୍ପ ମାତ୍ରାରେ ମାଇକେଲ ବିଭାନ ପରି,’’ ବୋଲି କହିଥିଲେ ରୋଡସ୍ ।