ମୁମ୍ବାଇ: ବର୍ଷାନୁକ୍ରମରେ ଭାରତୀୟ କ୍ରିକେଟ ଟିମରେ ଅନେକ ଉନ୍ନତି ହୋଇଥିଲା । ବ୍ୟାଟିଂ ବୋଲିଂ ସବୁଥିରେ ଭାରତୀୟ ଟିମ ନିଜକୁ ଶ୍ରେଷ୍ଠ ବୋଲି ଦର୍ଶାଇଥିଲା କିନ୍ତୁ ଫିଲ୍ଡି୍ଂରେ ରହିଯାଉଥିଲା କିଛି ଅଭାବ । ତେବେ ସୌରଭ ଗାଙ୍ଗୁଲି ଯେତେବେଳେ ଅଧିନାୟକ ହେଲେ ତାଙ୍କ ପାଖରେ ଥିଲେ ମହମ୍ମଦ କୈଫ ଓ ଯୁବରାଜ ସିଂହ । ଏଇ ଦୁଇ ଫିଲ୍ଡର ଫିଲ୍ଡିଂର ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ । ତେବେ ଶୁତ୍ରବାର ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କହିଛନ୍ତି ଯେ ବର୍ତ୍ତମାନ ସମୟରେ ରବିନ୍ଦ୍ର ଜାଡ଼େଜା ବିଶ୍ବର ଶ୍ରେଷ୍ଠ ଫିଲ୍ଡର ମାନଙ୍କ ମଧ୍ୟରୁ ଅନ୍ୟତମ ।
ଏକ ଅନଲାଇନ ଚାଟ ସୋ’ରେ ଗମ୍ଭୀର ଜାଡ଼େଡା କାହିଁକି ବିଶ୍ବର ଶ୍ରେଷ୍ଠ ଫିଲ୍ଡର ସେ ବିଷୟରେ କହିଛନ୍ତି । ‘‘ମୁଁ ଭାବୁଛି, ବିଶ୍ବ କ୍ରିକେଟରେ ଜାଡ଼େଜାଙ୍କ ଠାରୁ ଆଉ କେହି ଶ୍ରେଷ୍ଠ ଫିଲ୍ଡର ନାହାନ୍ତି, ସେ ଜଣେ ସମ୍ପୂର୍ଣ୍ଣ ଫିଲ୍ଡର । ସେ ସ୍ଲିପ କିମ୍ବା ଗଲିରେ ଫିଲ୍ଡିଂ କରୁ ନଥାଇ ପାରନ୍ତି କିନ୍ତୁ ଥ୍ରୋ କଲା ବେଳେ ତାଙ୍କ ଠାରୁ ଆଉ କେହି ଭଲ କରି ପାରିବେ ନାହିଁ ।’’
‘‘ତାଙ୍କ ଭଳି ଆଉଟଫିଲ୍ଡକୁ କେହି କଭର କରି ପାରିବେନି । ତାଙ୍କୁ କଭରରେ ରଖନ୍ତୁ ବା ପଏଣ୍ଟରେ ସେ ସର୍ବଦା ଫିଲ୍ଡିଂ ପାଇଁ ସଜାଗ ଥା’ନ୍ତି । ତାଙ୍କ ଭଳି ସୁରକ୍ଷିତ ହାତ କାହା ପାଖରେ ନାହିଁ । ରବିନ୍ଦ୍ର ଜାଡ଼େଜା ବିଶ୍ବର ବୋଧହୁଏ ସବୁଠାରୁ ଶ୍ରେଷ୍ଠ ଫିଲ୍ଡର ।’’
ଆଗରୁ ଦକ୍ଷିଣ ଆଫ୍ରିକାର ମହାନ ଫିଲ୍ଡର ଜଣ୍ଟି ରୋଡ୍ସ ମଧ୍ୟ ବିଶ୍ବର ଶ୍ରେଷ୍ଠ ଫିଲ୍ଡର ମାନଙ୍କ ମଧ୍ୟରେ ଜାଡ଼େଜାଙ୍କୁ ସ୍ଥାନିତ କରିଥିଲେ । ଏହାସହ ଜାଡ଼େଜାଙ୍କ ପ୍ରତିବଦ୍ଧତା ପାଇଁ ତାଙ୍କୁ ପ୍ରଶଂସା କରି କହିଥିଲେ, ‘‘ଜଡ଼୍ଡୁ କିଛି ଖୁବ ଭଲ କ୍ୟାଚ ନେଇଛନ୍ତି । ଏହାର କାରଣ ହେଉଛି ଖେଳ ପ୍ରତି ତାଙ୍କର ପ୍ରତିବଦ୍ଧତା ।’’
@IANS