ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ କ୍ୟାରିୟର ଶେଷ ହୋଇଛି । ଏମିତି କିଛି ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି । 2004ରେ କାର୍ତ୍ତିକ 19 ବର୍ଷ ବୟସରେ ଟିମ ଇଣ୍ଡିଆରେ ଡେଭ୍ୟୁ କରିଥିଲେ । ତେବେ ଅନେକ ସଫଳତା ଓ ବିଫଳତା ମଧ୍ୟରେ ଟିମର ନିୟମିତ ସଦସ୍ୟ ହେବାରେ ସେ ସକ୍ଷମ ହୋଇନଥିଲେ ।
କାର୍ତ୍ତିକ ବର୍ତ୍ତମାନ ଟିମ ଇଣ୍ଡିଆର ସବୁଠୁ ସିନିୟର ଖେଳାଳି । ତେବେ 2019 ବିଶ୍ବକପ ଦଳରେ କାର୍ତ୍ତିକଙ୍କ ଉପରେ ଚୟନକର୍ତ୍ତା ଭରଷା କରିଥିଲେ । ବିଶ୍ବକପରେ ଟିମ ଇଣ୍ଡିଆର ଗୁରୁତ୍ତ୍ବପୂର୍ଣ୍ଣ ମଧ୍ୟକ୍ରମର ଦାୟିତ୍ବ କାର୍ତ୍ତିଙ୍କୁ ମିଳିଥିଲା । ମାତ୍ର ବିଶ୍ବକପରେ ଦଳ ତାଙ୍କଠୁ ଏକ ବିଜୟୀ ଇନିଂସର ଆଶା ରଖୁଥିବା ବେଳେ, କାର୍ତ୍ତିକ ନିରାଶ କରିଥିଲେ ।
ଅଗଷ୍ଟ 3ରୁ ଆରମ୍ଭ ହେଉଥିବା ଟିମ ଇଣ୍ଡିଆ ଆଗାମି ୱେଷ୍ଟଇଣ୍ଡିଜ ଗସ୍ତରେ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ମିଳିନାହିଁ । 3ଟି ଫର୍ମାଟରେ ଭାରତୀୟ ଦଳର ପ୍ରଥମ ପସନ୍ଦ ୱିକେଟ କିପର ଭାବେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି । ଏହି ନିଷ୍ପତ୍ତି ପରେ କାର୍ତ୍ତିକଙ୍କ କ୍ରିକେଟ କ୍ୟାରିୟର ହୁଏତ ଶେଷ ହୋଇଥିବା ଚର୍ଚ୍ଚା ହେଉଛି ।
ନଜର ପକାନ୍ତୁ କାର୍ତ୍ତିକଙ୍କ କ୍ରିକେଟ କ୍ୟାରିୟର ଉପରେ:
34 ବର୍ଷିୟ କାର୍ତ୍ତିକଙ୍କୁ 2019 କ୍ରିକେଟ ବିଶ୍ବକପରେ 3ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ବାଂଲାଦେଶ ବିପକ୍ଷରେ କାର୍ତ୍ତିକ 8ରନ, ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ 6ରନ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂର ସୁଯୋଗ ମିଳିନଥିଲା ।
କାର୍ତ୍ତିକଙ୍କ 15 ବର୍ଷର କ୍ରିକେଟ କ୍ୟାରୟରରେ 94 ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏଥିରୁ ପାଖାପାଖି 30 ଆଭରେଜରେ 1,752 ରନ କରିଛନ୍ତି । ଏଥିରେ 9ଟି ଅର୍ଧଶତକ ସାମିଲ ରହିଛି ।
କାର୍ତ୍ତିକ 26 ଟି ଅନ୍ତଜାର୍ତିୟ ଟି-20 ଇନିଂସରୁ 33.25 ଆଭରେଜରେ 399 ରନ କରିଛନ୍ତି । ତେବେ ଟି-20ରେ କାର୍ତ୍ତିକଙ୍କ ଷ୍ଟ୍ରାଇକ ରେଟ 143.52 ରହିଛି । କାର୍ତ୍ତିକ ନିଦାହାସ ଟ୍ରଫି ଫାଇନାଲରେ 8 ବଲରୁ ଧୁଆଁଧାର 28ରନ ର ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ଶେଷ ବଲରୁ 5ରନ ଆବଶ୍ୟକ ଥିବାବେଳେ କାର୍ତ୍ତିକ ଛକା ମାରି ଜିତାଇଥିଲେ। ଏମଏସକେ ପ୍ରସାଦଙ୍କ ନେତୃତାଧିନ ଚୟନକର୍ତ୍ତା ଟିମ କାର୍ତ୍ତିକଙ୍କୁ ଦଳରୁ ବାଦ ଦେବା ପରେ, ତାଙ୍କର କ୍ରିକେଟ କ୍ୟାରିୟର ଶେଷ ହୋଇଥିବା ଅନୁମାନ କରାଯାଉଛି ।