ନୂଆଦିଲ୍ଲୀ: ଏଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଖେଳିବେ ନାହିଁ ବୋଲି ସୂଚନା ରହିଛି ।
ତେବେ ଶେଷ ଦୁଇଟି ଟେଷ୍ଟ ଉଭୟ ଖେଳାଳି ଖେଳିବେ ନା ନାହିଁ ତାହା ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ସୂଚନା ମିଳିଛି ।
ବୋଲିଂ ଫିଟନେସ ହାସଲ କରିଥିବା ଈଶାନ୍ତ ଶର୍ମା ଆସନ୍ତା ବର୍ଷ ଜାନୁଆରୀ 7 ରେ ସିଡନୀରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଟେଷ୍ଟ ପୂର୍ବରୁ ତୁରନ୍ତ ବିମାନରେ ଯାତ୍ରା କରିପାରନ୍ତି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ତେବେ ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ‘‘ଯଦି କୌଣସି ଟି-20 ମ୍ୟାଚରେ ବୋଲିଂ କରିବାକୁ ହୁଏ ତେବେ ଈଶାନ୍ତ 4 ଓଭର ବୋଲିଂ କରିପାରିବେ । କିନ୍ତୁ ଯଦି ଟେଷ୍ଟ ମ୍ୟାଚ କଥା ଆସେ, ତେବେ ବର୍ତ୍ତମାନ ତାଙ୍କୁ ସେଥିପାଇଁ ପ୍ରସ୍ତୁତ ହେବାକୁ ଆହୁରି 4 ସପ୍ତାହ ସମୟ ଆବଶ୍ୟକ।’’
ସେପଟେ ରୋହିତ ଶର୍ମା ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀରେ ରହିଛନ୍ତି ଓ ତାଙ୍କ ହାମଷ୍ଟ୍ରିଙ୍ଗରେ ଲାଗିଥିବା ଆଘାତରୁ ସୁସ୍ଥ ହେଉଛନ୍ତି । ଆଇପିଏଲର 13ତମ ସଂସ୍କରଣ ବେଳେ ରୋହିତ ଆହତ ହୋଇଥିଲେ ।
ବିସିସିଆଇ ପରିଚାଳନା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ରୋହିତ ଶର୍ମା ପୁରା ଟିମ ସହିତ ଅଷ୍ଟ୍ରେଲିଆ ଯାଇଥାନ୍ତେ ତେବେ ତାଙ୍କର ଟେଷ୍ଟ ସିରିଜ ଖେଳିବାର ଅଧିକ ସମ୍ଭାବନା ରହିଥିଲା ।
ଯଦି ଅତି ଶୀଘ୍ରତାର ସହ ରୋହିତ ଡିସେମ୍ବର 8ରେ ମଧ୍ୟ ଯାତ୍ରା କରନ୍ତି, ତେବେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ହେବ । ଯାହା ତାଙ୍କୁ ଡିସେମ୍ବର 22 ପର୍ଯ୍ୟନ୍ତ ଅଭ୍ୟାସରୁ ଦୂରେଇ ରଖିବ ବୋଲି ରିପୋର୍ଟରେ କୁହାଯାଇଛି ।
ପୂର୍ବରୁ ଗତ ରବିବାର ଭାରତୀୟ ହେଡ୍ କୋଚ ରବି ଶାସ୍ତ୍ରୀ କହିଥିଲେ ଯେ ଯଦି ରୋହିତ ଓ ଈଶାନ୍ତ ଟେଷ୍ଟ ସିରିଜରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ 4-5 ଦିନ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ବିମାନ ଧରିବାକୁ ହେବ ।
@IANS