ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପରିଚାଳନା ପରିଷଦ ବିଭିନ୍ନ ପ୍ରାୟୋଜକ ଗୁଡିକର ପୁନର୍ବିଚାର କରିବ । ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପରିଷଦ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ ବୋଲି ଜଣାପଡିଛି । ଏନେଇ ଆଇପିଏଲର ଅଫିସିଆଲ ଟ୍ବିଟର ପେଜରେ ସୂଚନା ଦିଆଯାଇଛି ।
ଆଇପିଏଲର ମୁଖ୍ୟ ପ୍ରାୟୋଜକ ଚାଇନିଜ ମୋବାଇଲ କମ୍ପାନି ଭିଭୋ ରହିଛି । ତେବେ ଭିଭୋ ସମେତ ସମସ୍ତ ପ୍ରାୟୋଜକଙ୍କୁ ନେଇ ବିଚାର କରିବ ବିସିସିଆଇ । ବାର୍ଷିକ 440 କୋଟି ଟଙ୍କା ଚୁକ୍ତିଭିତ୍ତିରେ 2022 ପର୍ଯ୍ୟନ୍ତ ପାଞ୍ଚବର୍ଷ ପାଇଁ ପ୍ରାୟୋଜକ ରହିଛି ।
ଭାରତ-ଚୀନ ସୀମା ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ 20 ଭାରତୀୟ ଯବାନ ସହିଦ ହେବାପରେ, ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ(LAC)ରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି ଥିବାରୁ, ଚୀନ ଜିନିଷ ବର୍ଜନ ପାଇଁ ଦାବି ହେଉଛି । ଏପରିକି ଦେଶରେ ଚୀନର ନିବେଶ ଗୁଡିକୁ ପ୍ରତ୍ୟାହାର ପାଇଁ ମଧ୍ୟ ଅନେକ ମତ ରଖିଛନ୍ତି ।
ପୂର୍ବରୁ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ମଧ୍ୟ ଚାଇନିଜ ପ୍ରାୟୋଜକଙ୍କୁ ନେଇ କାର୍ଯ୍ୟନିବାହୀ ବୈଠକରେ ନିଷ୍ପତି ହେବ ବୋଲି କହିଛନ୍ତି କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ ।
"ପ୍ରାୟୋଜକଙ୍କୁ ନେଇ ନିଷ୍ପତି ଏକାକି ନିଆଯାଇପାରିବ ନାହିଁ, ସମସ୍ତ କାର୍ଯ୍ୟନିବାହୀ ଅଧିକାରୀଙ୍କ ମିଳିତ ବୈଠକରେ ଚୁଡାନ୍ତ ନିଷ୍ପତି ହେବ" ପାଣ୍ଡେ କହିଛନ୍ତି ।
ଚୀନ ଓ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏଥିରେ ଚୀନର ମଧ୍ୟ କମାଣ୍ଡିଂ ଅଫିସରଙ୍କ ସମେତ 43 ଜଣ ମୃତାହତ ହୋଇଥିବା ସୂଚନା ରହିଛି ।
ଆଇପିଏଲର 13ତମ ସଂସ୍କରଣ 2020, ମାର୍ଚ୍ଚ 29ରୁ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଓ ଲକଡାଉନ କାରଣରୁ ପ୍ରଥମେ ଏପ୍ରିଲ 15 ଓ ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ଘୋଷଣା କରାଯାଇଛି । ତେବେ ଆବଶ୍ୟକ ସ୍ଥଳେ ଚଳିତ ବର୍ଷ ଶେଷ ଭାଗରେ, ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଆଇପିଏଲ ଆୟୋଜନ ହୋଇପାରେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଦେଶର ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ ଗୁଡିକୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ