ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଇପିଏଲ 2021 ଆରମ୍ଭ ପୂର୍ବରୁ ଡରାଇଲାଣି ମହାମାରୀ କୋରୋନା । ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଜାଇଜକୁ ବଡ ଝଟକା । ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଜଣାପଡିଛି । ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚକୁ ଆଉ ମାତ୍ର 7 ଦିନ ବାକି ଥିବାବେଳେ, ଅକ୍ଷର କୋରୋନା ସଂକ୍ରମିତ ଖବର ଫ୍ରାଞ୍ଚାଇଜର ଚିନ୍ତା ବଢାଇଛି ।
ଏପ୍ରିଲ 9ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ ଟି20 ଲିଗ । ମାତ୍ର ଏହାପୂର୍ବରୁ ଏକାଧିକ ଖେଳାଳି କୋରୋନାରେ ଆକ୍ରାନ୍ତ ଖବର ବିସିସିଆଇର ଚିନ୍ତା ବଢାଇଛି । କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଅଲରାଉଣ୍ଡର ଅକ୍ଷର ପଟେଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଣା ପଜିଟିଭ ଚିହ୍ନଟ ହେବାପରେ ଆଇସୋଲେସନରେ ରହିଥିଲେ ଓ ମାର୍ଚ୍ଚ 22ରେ ଦ୍ବିତୀୟ ଟେଷ୍ଟରେ ନେଗେଟିଭକୁ ଫେରିଥିଲେ ।
ଅନ୍ୟପଟେ ୱାଙ୍ଖେଡେ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ କୋରାନା ଭାଇରସ ପଜିଟିଭ ଚିହ୍ନଟ ହେବାପରେ, ମୁମ୍ବାଇରେ ଆଇପିଏଲ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ଦେଖାଦେଇଛି । ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇପାରେ ଲାଗିଛି ।
ୱାଙ୍ଖେଡେ ଷ୍ଟାଡିୟମରେ ଏପ୍ରିଲ 10ରୁ 25 ମଧ୍ୟରେ ଏହି ସଂସ୍କରଣର 10ଟି ଆଇପିଏଲ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ପ୍ରଥମ ମ୍ୟାଚ ଏପ୍ରିଲ 10ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।
4ଟି ଫ୍ରାଞ୍ଜାଇଜ- ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମୁମ୍ବାଇରେ ଟିମ ହୋଟେଲରେ ରହିଛନ୍ତି ।
ତେବେ ଶୁକ୍ରବାର ମହାରାଷ୍ଟ୍ରରେ 47,827 ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ, 202ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ମୁମ୍ବାଇ ନୂଆ 8,832 ପଜଟିଭ ମାମଲା ସହ ଦୈନିକ ସର୍ବାଧିକ ସଂକ୍ରମଣ ରେକର୍ଡ କରିଛି । କ୍ରମାଗତ ଦ୍ବିତୀୟ ଦିନରେ 8,500ରୁ ଅଧିକ କେସ୍ କେବଳ ମୁମ୍ବାଇରେ ସାମ୍ନାକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ