ଦୁବାଇ: ଆଜି ଦୁବାଇ ଗ୍ରାଉଣ୍ଡରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲର 2ୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ 3ୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ ଖେଳାଯିବ । ଉଭୟ ଦଳ ଏହି ଲିଗର 5ମ ମ୍ୟାଚ ଆଜି ଖେଳିବେ । ଉଭୟ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛନ୍ତି । ତେବେ ଆଜି ଭାରତୀୟ ସମୟାନୁସାରେ ସନ୍ଧ୍ୟା 7ଟା30ରେ ଦିଲ୍ଲୀ- ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯିବ ।
ଗତ ଶନିବାର ବାଙ୍ଗାଲୋର ଟିମ ରାଜସ୍ଥାନକୁ ମାତ୍ ଦେଇଥିଲା ସେହିପରି କେକେଆରକୁ ଦିଲ୍ଲୀ ମାତ୍ ଦେଇ ବିଜୟ ହାସଲ କରିଥିଲା । ଉଭୟ ଦଳ ଚାହିଁବେ ଆଜିର ମ୍ୟାଚ ନିଜ ନାଁରେ କରି ବିଜୟଧାରା ଜାରି ରଖିବାକୁ ।
![ipl-2020-royal-challengers-bangalore-vs-delhi-capitals-match-preview](https://etvbharatimages.akamaized.net/etvbharat/prod-images/9051282_rcb-vs-dc-head-to-head_0510newsroom_1601871373_88.jpg)
ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆରମ୍ଭ 3ଟି ମ୍ୟାଚରେ ଫର୍ମରେ ନଥିଲେ କିନ୍ତୁ ରାଜସ୍ଥାନ ବିପକ୍ଷରେ ଅପରାଜିତ 72ରନ ପାଳି ଖେଳିଥିଲେ କୋହଲି । ବର୍ତ୍ତମାନ ଫର୍ମରେ ଥିବା କୋହଲି ବିପକ୍ଷ ଦଳକୁ ଚିନ୍ତାରେ ପକାଇ ପାରନ୍ତି । ଆରସିବିର ଶୀର୍ଷକ୍ରମରେ ଯୁବ ଖେଳାଳି ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ଏବି ଡି ଭିଲିୟର୍ସ ଓ କୋହଲି ସମସ୍ତେ ଫର୍ମରେ ଅଛନ୍ତି । ଏହି 4ଖେଳାଳିଙ୍କ ସମ୍ମୁଖରେ ଦିଲ୍ଲୀର ରବାଡା, ଏନରିକ ନୋର୍ଟଜେ, ଆର ଅଶ୍ବିନ ଓ ଅମିତ ମିଶ୍ରା କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଦିଲ୍ଲୀ ବୋଲରଙ୍କ ଯୋଜନା ରହିବ କିପରି ଆରମ୍ଭରୁ ଆରସିବିର ଓ୍ବିକେଟ ହାସଲ କରି ଚାପରେ ରଖିବାକୁ । କାରଣ ଏହି 4ଖେଳାଳିଙ୍କ ପରେ ମ୍ୟାଚ ଫିନିସର କେହି ନାହାଁନ୍ତି ।
![ipl-2020-royal-challengers-bangalore-vs-delhi-capitals-match-preview](https://etvbharatimages.akamaized.net/etvbharat/prod-images/9051282_points_0510newsroom_1601871373_1035.jpg)
ଅନ୍ୟପଟେ ଦିଲ୍ଲୀର ବ୍ୟାଟିଂ ଅର୍ଡର ମଜବୁତ ରହିଛି । କୋଲକାତା ବିପକ୍ଷରେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ' 41ବଲ୍ରେ 66ରନ ଓ ଅଧିନାୟକ ଆୟର 38ବଲ୍ରେ 88ରନ୍ର ନାବାଦ ପାଳି ଖେଳି 228ରନର ବିଶାଳ ସ୍କୋର ଛିଡା କରିଥିଲେ । ପନ୍ତ ଓ ଧଓ୍ବନ ବି ଭଲ ଫର୍ମରେ ରହିଛନ୍ତି । ସେହିପରି ମାର୍ସ ଷ୍ଟୋଇନିସ ଓ ଶିମରନ ହେଟମୟର ବି ଦ୍ରୁତଗତିରେ ରନ ହାସଲ କରିବାରେ ବେଶ୍ ସକ୍ଷମ । ତେବେ ଆରସିବିର ବୋଲରଙ୍କୁ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ରୋକିବା ପାଇଁ ପ୍ଲାନ କରିବାକୁ ପଡିବ । ଖାସ କରି ଚହଲ ଓ ନବଦୀପ ସାଇନିଙ୍କ ଉପରେ ଟିମ ନିର୍ଭର କରିବ ।
ଉଭୟଦଳ ମଧ୍ୟରେ ତୁଳନା କଲେ ଦିଲ୍ଲୀ ଟିମ ସମସ୍ତ ବିଭାଗରେ ସନ୍ତୁଳିତ ରହିଛି ଓ ଆରସିବିର 3ଟି ବିଭାଗରେ କିଛିନା କିଛି ତ୍ରୁଟି ରହିଛି । ହେଡଟୁ ହେଡ ମ୍ୟାଚକୁ ଦେଖିଲେ 23ଟି ମ୍ୟାଚରୁ 14ଟି ଆରସିବି ଓ 8ଟି ଦିଲ୍ଲୀ ବିଜୟ ହାସଲ କରିଛି ଓ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନଥିଲା ।