ନୂଆଦିଲ୍ଲୀ: ଆଇପିଏଲ 2020କୁ ଧିରେଧିରେ ଉଷ୍ମ ହେଉଛି କ୍ରିକେଟ ପାଣିପାଗ । ଆଇପିଏଲ ମ୍ୟାଚ ପ୍ରସାରଣର ସମୟ ଓ ଫାଇନାଲ ମ୍ୟାଚକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମ୍ୟାଚ ପ୍ରସାରଣର ସମୟରେ କୌଣସି ପରିବର୍ତ୍ତନ ହେବନାହିଁ ଓ ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ଏନେଇ ସୋମବାର ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।
ପୂର୍ବରୁ ମ୍ୟାଚ ପ୍ରସାରଣକାରୀ ସଂସ୍ଥା ମ୍ୟାଚ ଆରମ୍ଭର ସମୟ ସନ୍ଧ୍ୟା 8.00ଟା ବଦଳରେ 7.30 କରିବାକୁ ଦାବି କରିଥିଲେ । ଏଥିସହିତ 2020 ଆଇପିଏଲର ଫାଇନାଲ ମ୍ୟାଚ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଷ୍ଟାଡିୟମରେ ହେବାନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ବିସିସିଆଇ ସଭାପତିଙ୍କ ଘୋଷଣା ପରେ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଆଜି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଗଭର୍ଣ୍ଣିଂ ପରିଷଦ କମଟି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ମାର୍ଚ୍ଚ 29ରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ ଟି-20 ଲିଗ ଆଇପିଏଲ ।