ଆବୁଧାବି: ଲିଗ୍ର 55ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା । ଆଜିର ମ୍ୟାଚରେ ଉଭୟ ଦଳ ପ୍ଲେଅଫ୍ରେ ସ୍ଥାନ ପକ୍କା କରିବା ପାଇଁ ଆବୁଧାବିରେ କରିବେ ଫାଇଟ । ଆଜି ଯେଉଁ ଦଳ ଜିତିବ ସିଧାସଳଖ ପ୍ଲେଅଫ୍ରେ ଏଣ୍ଟ୍ରି କରିବ ।
ଦେଖିବାକୁ ଗଲେ ଉଭୟ ଦଳର ସ୍ଥିତି ଏକପ୍ରକାର ରହିଛି । ଆରସିବି ଦଳ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି । ସେହିପରି ଶ୍ରେୟାସ ଆୟରଙ୍କ ଦିଲ୍ଲୀ ଟିମ 13ଟି ମ୍ୟାଚରୁ 7ଟିରେ ବିଜୟ ହାସଲ କରି 14ପଏଣ୍ଟ ସହ 3ୟ ସ୍ଥାନରେ ରହିଛି । ଦିଲ୍ଲୀର ରନ୍ ରେଟ୍ କାରଣରୁ 3ୟ ସ୍ଥାନରେ ରହିଛି ।
ଦିଲ୍ଲୀ ସିଜନର ସାନଦାର ଆରମ୍ଭ କରିଥିଲା । କିନ୍ତୁ ଗତ 4ଟି ମ୍ୟାଚରେ ହାରିଥିବାରୁ ପ୍ଲେଅଫ୍ରେ ଏଣ୍ଟ୍ରି କରିବାକୁ ଅପେକ୍ଷା କରିବାକୁ ପଡିଛି । ଆଜି ବିରାଟବାହିନୀକୁ ମାତ୍ ଦେଇ ପଏଣ୍ଟ ଟେବୁଲର 2ୟ ସ୍ଥାନ ହାସଲ କରିବାକୁ ଦଳ ଚାହିଁବ । ଦିଲ୍ଲୀର ବ୍ୟାଟିଂ ବିଭାଗ ଗତ କିଛି ମ୍ୟାଚରେ ଧୀମା ପଡି ଯାଇଛି । ମୁମ୍ବାଇ ବିପକ୍ଷରେ ଟିମ 20ଓଭରରେ ମାତ୍ର 110ରନ କରିଥିଲା । ଧଓ୍ବନ, ପୃଥ୍ବୀ ଶଙ୍କ ବ୍ୟାଟରୁ ରନ୍ ଆସି ନାହିଁ । ଯାହା ଟିମ ପାଇଁ ଚିନ୍ତାର ବିଷୟ । ଏପଟେ ପନ୍ତ ଓ ଅଧିନାୟକ ଶ୍ରେୟାସ ଆୟର ବଡ ଇଂନିସ ଖେଳି ନାହାଁନ୍ତି । ମାର୍କସ ଓ ହେଟମାୟେର ମ୍ୟାଚକୁ ଫିନିସ ମଧ୍ୟ କରି ପାରୁ ନାହାଁନ୍ତି । ତେବେ ଦଳ ଚାହିଁବ ଟିମ ପୂର୍ବ ଫର୍ମରେ ଫେରି ଆସୁ । ଦିଲ୍ଲୀର ବୋଲିଂ ବିଭାଗ ଆରସିବି ଠାରୁ ମଜବୁତ ରହିଛି । ଦଳ ପାଖରେ ରବାଡା, ଏନରିକ, ଅଶ୍ବିନ ଓ ଅକ୍ଷର ପଟେଲ ଭଲ ଫର୍ମରେ ରହିଛନ୍ତି ।
ଆରସିବିର ପ୍ରାୟ ସମାନ ସ୍ଥିତି ରହିଛି । ଗତ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ମାତ୍ର 120ରନ୍ କରିଥିଲା ବିରାଟ ବାହିନୀ । ଉକ୍ତ ମ୍ୟାଚରେ କୋହଲି ଓ ଡେଭିଲିୟର୍ସ ଭରସାରେ ଦଳ ଥିଲା । ଉଭୟ ଆଉଟ ହେବା ପରେ ଦଳ ବଡ ସ୍କୋରରେ ସକ୍ଷମ ହୋଇ ପାରି ନଥିଲା । ଏପଟେ ଏହି ସିଜନରେ ଦେବଦତ୍ତ ଓ ମୋରିସ ଭଲ ପ୍ରଦର୍ଶନ କରିଛନ୍ତି । ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଏହି 2 ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ବୋଲିଂ ବିଭାଗରେ ନବଦୀପ, ମୋରିସ ଓ ଉଦାନା ଭଲ ପ୍ରଦର୍ଶନ କରୁଛନ୍ତି । ସ୍ପିନିଂରେ ଚହଲ ଦିଲ୍ଲୀଟିମ୍କୁ ଚକମା ଦେବାରେ ଦମ୍ ରଖିଛନ୍ତି ।