ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମର 10ଜଣ ସଦସ୍ୟ କୋରୋନା ପଜିଟିଭ ପରେ ମୁମ୍ବାଇରେ ଆଇପିଏଲ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ଦେଖାଦେଇଛି । ମୁମ୍ବାଇ ସହରରେ ଦୈନିକ ସଂକ୍ରମଣ ମାମଲା ରେକର୍ଡ ମାତ୍ରାରେ ବୃଦ୍ଧି ପାଉଛି । ତେବେ ଏପ୍ରିଲ 10ରୁ 25 ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଆଇପିଏଲ ମ୍ୟାଚ ସୂଚୀ ଅନୁଯାୟୀ, ମ୍ୟାଚ ଆୟୋଜନ ନେଇ ଆଶାବାଦୀ ରହିଛି ବିସିସିଆଇ । ମେଗା ଟି20 ଲିଗର 10ଟି ମ୍ୟାଚ ମୁମ୍ବାଇରେ ଖେଳାଯିବାନେଇ ସୂଚୀ ରହିଛି ।
କୋଭିଡ ସ୍ଥିତି ଅଣାୟତ୍ତ ହେଲେ, ଇନ୍ଦୋର ଓ ହାଇଦ୍ରାବାଦକୁ ଷ୍ଟାଣ୍ଡବାଏ ଆଇପିଏଲ ଭେନ୍ୟୁ ଭାବେ ରଖାଯାଇଥିବା ସୂଚନା ରହିଛି ।
ଶୁକ୍ରବାର 47,000ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ସହ, ମହାରାଷ୍ଟ୍ର ଲକଡାଉନ ସ୍ଥିତି ଆଡକୁ ଅଗ୍ରସର ହେଉଛି । ୱାଙ୍ଖଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫ୍ଙ୍କ ସଂକ୍ରମଣ ସଂଖ୍ୟା ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ 8ରୁ 10କୁ ବୃଦ୍ଧି ପାଇବା ଫଳରେ ଆୟୋଜନକଙ୍କ ପାଇଁ ମଧ୍ୟ ସମାନ ସ୍ଥିତି ରହିଛି ।
ଏହାବ୍ୟତୀତ, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମର 6 ସଦସ୍ୟ ମଧ୍ୟ ସଂକ୍ରମଣର ଶିକାର ହେବାପରେ, ଆଇସୋଲେସନରେ ରହିଛନ୍ତି । ଏନେଇ ଜଣେ ମୁମ୍ବାଇ ସିଏ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ