ମେଲବର୍ଣ୍ଣ: କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ ଅଧିକାରୀ କେଭିନ ରୋବର୍ଟସଙ୍କ ଅନୁସାରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁପର ସିରିଜ ( 4 ଦେଶ ମଧ୍ୟରେ ଟୁର୍ଣ୍ଣାମେଣ୍ଟ) ଏକ ଅଭିନବ ଚିନ୍ତନ ।
ଗାଙ୍ଗୁଲି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆଉ ଏକ ଶୀର୍ଷ ଟିମ ସହ ଟୁର୍ଣ୍ଣାମେଣ୍ଟ କରିବାର ବିଚାର କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡୁ ପ୍ରଶଂସା ମିଳୁଛି ।
ରୋବର୍ଟସଙ୍କ ମୁତାବକ, ଏହା ଏକ ନୂତନ ଚିନ୍ତନର ଉଦାହରଣ । ବିସିସିଆଇ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ ପ୍ରସ୍ତାବ ସକରାତ୍ମକ । ଏତେ କମ ସମୟରେ ଗାଙ୍ଗୁଲି ଅନେକ ନୂଆ କାମ କରିଛନ୍ତି । ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିଛି । ଏବେ ସୁପର ସରିଜର ଆଇଡିଆ ଆସିଛି । ଯାହା ସତରେ ଅଭିନବ ଚିନ୍ତନ ।
ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ପ୍ରଥମରୁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ହଁ ଭରିଛି । ତେବେ ସିଏ କହିଛି ଆଗାମୀ ମାସରେ ଅଷ୍ଟ୍ରେଲିଆ, ଭାରତ ଓ ବାଂଲାଦେଶ ଗସ୍ତ କରିବ ଓ ଏହି ସମୟରେ 'ସୁପର ସିରିଜ' ଟୁର୍ଣ୍ଣାମେଣ୍ଟକୁ ନେଇ ବିସ୍ତାରରେ ଆଲୋଚନା ହେବ ।