ପୁଣେ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 3 ୱିକେଟ ହରାଇ 273ରନ ସ୍କୋର କରିଛି । ପୁଣେର ଏମସିଏ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଖେଳ ଶେଷ ସୁଦ୍ଧା କ୍ୟାପ୍ଟେନ କୋହଲି 63 ରନ ଓ ଅଜିଙ୍କ୍ୟ ରାହାଣେ 18 ରନ କରି କ୍ରିଜରେ ଅଛନ୍ତି ।
ପୁଣି ମୟଙ୍କ ଦେଖାଇଲେ କମାଲ
ନିଜର ଶାନଦାର ଫର୍ମକୁ ବଜାୟ ରଖି ମୟଙ୍କ ଅଗ୍ରୱାଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ କରିଛନ୍ତି । 108ରନର ପାଳି ଖେଳିଥିଲେ ମୟଙ୍କ ଯେଉଁଥିରେ 16ଟି ଚଉକା ଓ 2ଟି ଛକା ରହିଛି । ଏହା ପୂର୍ବରୁ ବିଶାଖାପଟ୍ଟନମ ଟେଷ୍ଟରେ ମଧ୍ୟ ଶତକ କରିଥିଲେ ଯାହାକୁ ସେ ଦ୍ବିଶତକରେ ପରିବର୍ତ୍ତିତ କରିଥିଲେ । ଏହି ମ୍ୟାଚରେ ସେ 215 ରନର ପାଳି ଖେଳିଥିଲେ । ଯେଉଁଥିରେ 23ଟି ଚଉକା ଓ 6ଟି ଛକା ରହିଥିଲା ।
ଭାରତୀୟ ପାଳି
ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ ଧିମା ଆରମ୍ଭ କରିଥିଲା । ଆରମ୍ଭରୁ ଉଭୟ ଓପନର ମୟଙ୍କ ଓ ରୋହିତ ଶର୍ମା ସତର୍କ ହୋଇ ଖେଳୁଥିଲେ । ତେବେ କେଗିସୋ ରବାଡାଙ୍କ ଏମିତି ଏକ ବଲ ରୋହିତଙ୍କ ବ୍ୟାଟରେ ବାଜି ସିଧା ଯାଇ ୱିକେଟ କିପର କ୍ବିଣ୍ଟନ ଡି କକଙ୍କ ହାତରେ ପଡିଥିଲା । ରୋହିତ 35ଟି ବଲର ସାମ୍ନା କରି ମାତ୍ର 14 ରନ କରି ପାଭିଲିୟନକୁ ଫେରିଥିଲେ । ରୋହିତଙ୍କ ପରେ ପୁଜାରା ମଧ୍ୟ ସତର୍କ ହୋଇ ଖେଳିବାର ରଣନୀତିକୁ ଆପଣାଇଥିଲେ ।
ତେବେ ରବାଡା ପୁଣି ଥରେ ନିଜ ବୋଲିଂର କମାଲ ଦେଖାଇ 58 ରନ କରି ଖେଳୁଥିବା ପୁଜାରାଙ୍କୁ ଆଉଟ କରି ଭାରତକୁ ଦ୍ବିତୀୟ ଝଟକା ଦେଇଥିଲେ । ଆଉଟ ହେବା ପୂର୍ବରୁ ମୟଙ୍କ ସହ ମିଶି ପୁଜାରା 138ରନର ଭାଗିଦାରୀ କରିଥିଲେ ।
ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବୋଲିଂ ପାଇଁ ଆମନ୍ତ୍ରିତ କରିଥିଲେ । ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇ ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇଛି । ସେପଟେ ଡେନ ପିଟଙ୍କ ସ୍ଥାନରେ ଏରିକ ନାର୍ଟଜେଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ଦେଇଛି ଦକ୍ଷିଣ ଆଫ୍ରିକା ।
ବିରାଟଙ୍କ ରେକର୍ଡ
ଅଧିନାୟକ ଭାବେ ବିରାଟଙ୍କର ଏହା 50ତମ ଟେଷ୍ଟ ମ୍ୟାଚ । ଅଧିନାୟକ ଭାବେ 50ଟି ଟେଷ୍ଟ ଖେଳିବାରେ କୋହଲି ଦ୍ବିତୀୟ ଅଧିନାୟକ ହୋଇଛନ୍ତି । କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି 50ରୁ ଅଧିକ ମ୍ୟାଚରେ ଅଧିନାୟକତ୍ବ କରିବାର ରେକର୍ଡ କରିଛନ୍ତି ।