ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମୁକାବିଲା ଆଜି ଖେଳାଯିବ । ଆଜି ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯିବ । ଏପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ବଢିଥିବାବେଳେ ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇ ନାହିଁ ।
ଏପଟେ ଉଭୟ ଦଳ ପ୍ରଦୂଷଣକୁ ଖାତିର ନକରି ମ୍ୟାଚ ଅଭ୍ୟାସ ଜାରି ରଖିଛି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଆଜି ଟିମ ଗ୍ରାଉଣ୍ଡରକୁ ଓହ୍ଲାଇବ ।
![cricket](https://etvbharatimages.akamaized.net/etvbharat/prod-images/4945016_screenshot-685.jpg)
ତେବେ ବାଂଲାଦେଶର ଷ୍ଟାର ଖେଳାଳି ଶାକିବ ଓ ତମିମଙ୍କ ଅନୁପସ୍ଥିତରେ ବାଂଲା ଟିମ ଖେଳିବ । ଅତିଥି ଟିମର ଟି-20 ମ୍ୟାଚର ନେତୃତ୍ବ ମହମ୍ମଦୁଲ୍ଲାଙ୍କ କାନ୍ଧରେ । ସେ ମ୍ୟାଚ ପୂର୍ବରୁ କହିଛନ୍ତି ଯେ, ଦଳକୁ ଭଲ ସ୍କୋର କରିବାକୁ ପଡିବ । ଏଥିସହ ବୋଲର ମାନଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ପଡିବ ।
ଏପଟେ ବିରାଟଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ବ୍ୟାଟିଂ ରୋହିତ ଓ ଶିଖର ଧଓ୍ବନଙ୍କ ଉପରେ ନିର୍ଭର କରିବ । କାରଣ ଟିମର ମଧ୍ୟକ୍ରମରେ ଅନୁଭବି ଖେଳାଳି ନାହାଁନ୍ତି । ତେଣୁ ରୋହିତ-ଶିଖର ଆରମ୍ଭରୁ ଭଲ ଓପନିଂ ଦେବକୁ ପଡିବ ।
ଏଥିସହ ଅଧିନାୟକ ରୋହିତ ଅତିଥି ଟିମକୁ ନେଇ କହିଛନ୍ତି ଯେ, ବାଂଲାଦେଶର ଏହି ଟିମ ଭଲ ପ୍ରଦର୍ଶନ କରେ । ଅତୀତରେ ଏହି ଦଳ ଆମମାନଙ୍କୁ ଚାପରେ ମଧ୍ୟ ରଖିଛି । ତେଣୁ ଆମମାନଙ୍କୁ ବିପକ୍ଷ ଦଳକୁ ଦୁର୍ବଳମାନିବା ଉଚିତ୍ ନୁହେଁ ।
ଆଜିର ମ୍ୟାଚରେ ଭାରତର ଯୁବ ବୋଲରଙ୍କ କରିସ୍ମା ଦେଖିବାକୁ ମିଳିବ । ଖଲିଲ ଅହମ୍ମଦ, ଦୀପକ ଚହର ଓ ଚହଲଙ୍କ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ । ତେବେ ଆଜି ଶିବମ ଦୁବେ ଓ ସଞ୍ଜୁଙ୍କୁ ଟିମ୍ରେ ସୁଯୋଗ ମିଳିପାରେ । ଏହି 2ଖେଳାଳି ଘରୋଇ କ୍ରିକେଟରେ କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଫଳରେ ଜାତୀୟ ଟିମରେ ତାଙ୍କୁ ସ୍ଥାନ ମିଳିଛି ।
ସମ୍ଭାବ୍ୟ ଦଳ
ଭାରତ : ରୋହିତ ଶର୍ମା(ଅଧିନାୟକ), ଶିଖର ଧଓ୍ବନ, ଏଲକେ ରାହୁଲ, ସଞ୍ଜୁ ସେମସନ, ଶ୍ରେୟସ ଅୟର, ମନିଷ ପାଣ୍ଡେ, ଋଷିଭ ପନ୍ତ(ଓ୍ବିକେଟକିପର), ଓ୍ବାଶିଂଟନ ସୁନ୍ଦର, କୃଣାଳ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, ରାହୁଲ ଚହର, ଖଲିଳ ଅହମ୍ମଦ, ଶିବମ୍ ଦୁବେ, ଶାର୍ଦ୍ଦୁଳ ଠାକୁର
ବାଂଲାଦେଶ: ମହମ୍ମଦୁଲ୍ଲା(ଅଧିନାୟକ), ମହମ୍ମଦ ନଇମ, ଆଫିଫ ହୋସେନ, ମୌସାଦେକ ହୁସେନ, ଅନିମୁଲ ଇସ୍ଲାମ, ଲିଟନ ଦାସ, ମୁଶଫିକପର ରହିମ, ଅରାଫତ ସନ୍ନି, ଅଲ ଅମିତ ହୁସେନ, ମୁସ୍ତାଫିଜୁର ରେହମାନ, ସାଇଫୁଲ ଇସ୍ନାମ, ଅବୁ ହାଇଦର ରୋନି, ମହମ୍ମଦ ମିଥୁନ, ତାଇଜୁଲ ଇସଲାମ ।