ମୁମ୍ବାଇ: ବର୍ଷର ପ୍ରଥମ ଦିନିକିଆରେ ଫେଲ୍ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଅର୍ଡର । ଦଳରେ 3 ଓପନର୍ ଓ କ୍ୟାପଟେନ କୋହଲିଙ୍କ 4ନଂରେ ବ୍ୟାଟି ଆସିବା ଦଳକୁ ପଡିଛି ମହଙ୍ଗା । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 255 ରନରେ ଅଲଆଉଟ ହୋଇଛି ଘରୋଇ ଦଳ । ତେବେ ଦଳର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଅତିଥି ଅଷ୍ଟ୍ରେଲିଆ ଆଗରେ 256ରନ ବିଜୟ ଲକ୍ଷ୍ୟ ରହିଛି ।
ପ୍ରଥମରୁ ଟସ ହାରିଥିଲେ କ୍ୟାପଟେନ କୋହଲି । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଡ୍ୟୁ ଫ୍ୟାକ୍ଟର ଚିନ୍ତାର କାରଣ ହୋଇଥିବାରୁ, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ । ଅଧିନାୟକ ନିଷ୍ପତିକୁ ବି ଠିକ୍ ପ୍ରମାଣିତ କଲେ ଅତିଥି ଦଳର ବୋଲର । ଭାରତୀୟ ଓପନିଂ ଯୋଡି ରୋହିତ-ଧୱନଙ୍କୁ ଚମକାଇ ଦେଇଥିଲେ କଙ୍ଗାରୁ ବୋଲର । ଦଳୀୟ ସ୍କୋର 13ରେ ମିଚେଲ ଷ୍ଟାର୍କଙ୍କ ବଲରେ ଧରା ପଡି ପାଭିଲିଅନ ଫେରିଥିଲେ ରୋହିତ ଶର୍ମା । ପରେ ଧୱନ ଓ ରାହୁଲ ମିଶି ଦଳୀୟ ସ୍କୋରକୁ 100 ପାର କରିଥିଲେ । ତେବେ ଆଜି ସବୁଠାରୁ ବଡ ବ୍ୟତିକ୍ରମ ଥିଲା ଅଧିନାୟକ କୋହଲିଙ୍କ 4 ନଂ ସ୍ଥାନରେ ବ୍ୟାଟିଂ ଆସିବା । ନିୟମିତ ସ୍ଥାନ 3ରୁ ଖସି 4 ନମ୍ବରେ ବ୍ୟାଟିଂ ଆସିବା କୋହଲିଙ୍କୁ ପଡିଲା ମହଙ୍ଗା । ମାତ୍ର 16କରି ଆଉଟ ହେଲେ ବିରାଟ । ବିରାଟଙ୍କ ଆଉଟ ହେବା ପରେ ଭାରତୀୟ ପାଳି ଟଳମଳ ହୋଇଥିଲା ।
ପରେ ଯଦିଓ ଋଷବ ପନ୍ତ(28) ଓ ରବିନ୍ଦ୍ର ଜାଡେଜା(25)ଙ୍କ ଯୋଡି ଦଳକୁ ଆଗାକୁ ବଢାଇବାକୁ ଚେଷ୍ଟା କରିଥିଲା । ମାତ୍ର ସେଥିରେ ଦୁହେଁ ବିଫଳ ହୋଇଥିଲେ । ତେବେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟକ୍ରମରେ ଶ୍ରେୟାଶ ଆୟର(4), ଶ୍ରାଦ୍ଧୁଲ ଠାକୁର(13), ଶାମୀ(10) ଓ ବୁମରା(17) କରି ପାରିଥିଲେ ।
ଅତିଥି ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ 3ଟି ୱିକେଟ, ପ୍ୟାଟ୍ କୁମିନ୍ସ ଓ କେନ ଚିଚାର୍ଡସନ 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆଡାମ ଡାମ୍ପା ଓ ଆଷ୍ଟନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।