ଲକ୍ଷ୍ନୌ: ଦିନିକିଆ ସିରିଜ ଶେଷ ପରେ ଭାରତୀୟ ମହିଳା ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି20 ସିରିଜ । ତେବେ ଏହି ସିରିଜ ଶନିବାରଠାରୁ ଏକନା କ୍ରିକେଟ ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ ଝଟକା । କ୍ୟାପଟେନ ହରମନପ୍ରୀତ କୌର ପ୍ରଥମ ମ୍ୟାଚରେ ଖେଳିବେ ନାହିଁ ।
ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି ଓପନର ସ୍ମୃତି ମାନ୍ଧାନା । ଶେଷ ଦିନିକିଆରେ ବ୍ୟାଟିଂ ବେଳେ ଆହତ ହୋଇଥିଲେ ହରମନପ୍ରୀତ । ଏଥିସହ ରିଟାର୍ଡ-ହର୍ଟ ହୋଇ ପାଭିଲିୟନ ଫେରିଥିଲେ । ଆହତ ଅପଡେଟ୍ ନେଇ ମେଡିକାଲ ଟିମ ରିପୋର୍ଟ ଦେବାପରେ ଟିମ ମ୍ୟାନେଜମେଣ୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବ ।
ଦିନିକିଆ ସିରିଜକୁ 4-1ରେ ହାରିବା ପରେ ଟି20 ସିରିଜ ବିଜୟ ସହ ମଧୁର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ମହିଳା ଭାରତୀୟ ଦଳ । ତେବେ ଦିନିକିଆ ସିରିଜ ପରାଜୟକୁ ଭୁଲି ବିଜୟ ଟ୍ରାକ୍କୁ ଫେରିବାକୁ ସମସ୍ତ ଖେଳାଳି ଧ୍ୟାନଦେବେ ବୋଲି କହିଛନ୍ତି ମାନ୍ଧାନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ