ହାଇଦ୍ରାବାଦ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି)ର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇ ସାରିଛି । ନ୍ୟୁଜିଲାଣ୍ଡ କ୍ରିକେଟର ମୁଖ୍ୟ ଥିବା ଗ୍ରେଗ ବାର୍କଲେଙ୍କୁ ଆଇସିସିର ନୂତନ ଅଧ୍ୟକ୍ଷ ଭାବେ ବଛା ଯାଇଛି । ପୂର୍ବ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଏହିବର୍ଷ ଜୁଲାଇରେ ଶେଷ ହୋଇ ଯାଇଛି, ଯାହାପରେ ଇମରାନ ଖ୍ବାଜାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।
![Greg Barclay new icc chairman, Greg Barclay elected as the new Independent Chair of ICC, International Cricket Council, ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ, ICC ର ନୂତନ ଅଧ୍ୟକ୍ଷ ଗ୍ରେଗ ବାର୍କଲେ, ନ୍ୟୁଜିଲାଣ୍ଡ କ୍ରିକେଟର ନିର୍ଦ୍ଦେଶକ](https://etvbharatimages.akamaized.net/etvbharat/prod-images/9656212_greg-barclay-2.jpg)
ବାର୍କଲେ 2012ରୁ ନ୍ୟୁଜିଲାଣ୍ଡ କ୍ରିକେଟର ନିର୍ଦ୍ଦେଶକ ଭାବେ ରହିଥିଲେ । ସେ 2015ରେ ଆଇସିସି ଡାଇରେକ୍ଟର ମଧ୍ୟ ରହିସାରିଛନ୍ତି ।
ନିଜର ନିଯୁକ୍ତି ନେଇ ଗ୍ରେଗ କହିଛନ୍ତି ଯେ, ‘‘ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ଏକ ଗର୍ବର ବିଷୟ । ମୁଁ ମୋର ସାଥୀ ଆଇସିସି ଡାଇରେକ୍ଟର ମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ମୁଁ ଆଶା କରୁଛି ଯେ ଆମେ ଏକତ୍ରିତ ହୋଇ କ୍ରୀଡାର ନେତୃତ୍ବ ନେବା ଏବଂ ବୈଶ୍ବିକ ମହାମାରୀରୁ ଏକ ଦୃଢ଼ ସ୍ଥିତିରେ ବାହାରି ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ହୋଇପାରିବା।’’
“ଆମର ମୂଳ ବଜାରରେ ଖେଳକୁ ମଜବୁତ କରିବା ସହିତ ବିଶ୍ବର ଅଧିକ ଲୋକ ଯେପରି କ୍ରିକେଟକୁ ଉପଭୋଗ କରିପାରିବେ ତାହା ନିଶ୍ଚିତ କରିବା ପାଇଁ ମୁଁ ଆମର ସଦସ୍ୟମାନଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ଉତ୍ସାହିତ । ମୁଁ ଖେଳର ରକ୍ଷକ ଭାବରେ ମୋର ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରେ ଏବଂ ଆମର ଖେଳ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ସମସ୍ତ 104 ଆଇସିସି ସଦସ୍ୟଙ୍କ ପକ୍ଷରୁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।’’
ଖେଳ ପାଇଁ କଠିନ ସମୟ ମଧ୍ୟରେ ଆଇସିସି ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ପାଇଁ ମୁଁ ଇମ୍ରାନ ଖ୍ବାଜାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଏବଂ ଭବିଷ୍ୟତରେ ତାଙ୍କ ସହତ କାର୍ଯ୍ୟ ଜାରି ରଖିବାକୁ ମୁଁ ଆଶା କରୁଛି। ”
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ