ନୂଆଦିଲ୍ଲୀ: ଗୌତମ ଗମ୍ଭୀର ବାଛିଛନ୍ତି ତାଙ୍କର ସର୍ବକାଳୀନ ଟେଷ୍ଟ ଟିମ । ଆଉ ଏଥିରେ ଅଧିନାୟକ ରୂପେ ଧୋନି କିମ୍ବା କୋହଲି ନୁହେଁ ବରଂ ଗୌତମଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଅନିଲ କୁମ୍ବଲେ । ଧୋନି ଓ କୋହଲିଙ୍କୁ ସେ ଟିମରେ ସ୍ଥାନ ଦେଇଛନ୍ତି କିନ୍ତୁ ଅଧିନାୟକ ଭାବେ ନୁହେଁ । ସେ ଆଗରୁ ମଧ୍ୟ କୁମ୍ବେଲଙ୍କୁ ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲେ ।
ଗମ୍ଭୀର ତାଙ୍କ ଟିମରେ ମହାନ ଖେଳାଳି ସୁନୀଲ ଗାଭାସ୍କର ଓ ବିରେନ୍ଦ୍ର ସେହୱାଗଙ୍କୁ ଓପନର ଭାବେ ରଖିଛନ୍ତି । ତିନି ନମ୍ବରରେ ରାହୁଲ ଦ୍ରାବିଡ । ମିଡିଲ ଅର୍ଡରରେ ଅଲରାଉଣ୍ଡର ଭାବେ ରହିଛନ୍ତି ସଚିନ ତେନ୍ଦୁଲକର, କପିଲ ଦେବ ଓ ବିରାଟ କୋହଲି । ଧୋନିଙ୍କୁ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ରଖିଛନ୍ତି ଗମ୍ଭୀର । ଅନିଲ କୁମ୍ବଲେ ଓ ହରଭଜନ ସିଂଙ୍କୁ ସ୍ପିନର ଓ ଜଭଗଲ ଶ୍ରୀନାଥ ଓ ଜହିର ଖାନଙ୍କୁ ପେସ ବିଭାଗରେ ରଖିଛନ୍ତି ଗୌତମ ।
‘‘ସେହୱାଗ ଓ ମୁଁ ଥରେ ରାତ୍ରୀ ଭୋଜନ କରିବା ସମୟରେ କୁମ୍ବଲେ ଆସି କହିଲେ ‘ଯାହା ହେଉନା କାହିଁକି ସମ୍ପୂର୍ଣ୍ଣ ସିରିଜରେ ଆପଣ ଦୁହେଁ ହିଁ ଓପନ କରିବେ । ଯଦି ଆପଣ 8ଟି ଡକ ମଧ୍ୟ କରିବେ ତେବେ ବି କୌଣସି ଫରକ ପଡିବ ନାହିଁ ।’ ମୁଁ ମୋ କ୍ୟାରିୟରରେ ଏମିତି ଶବ୍ଦ କାହାଠାରୁ ଶୁଣି ନାହିଁ । ତେଣୁ ମୁଁ ଯଦି କାହାପାଇଁ ଜୀବନ ଦେଇ ପାରେ ତେବେ ସେ ହେଉଛନ୍ତି କୁମ୍ବଲେ । ସେହି ଶବ୍ଦ ସବୁ ଏବେ ବି ମୋ ହୃଦୟରେ ରହିଛି,’’ ବୋଲି କହିଛନ୍ତି ଗମ୍ଭୀର ।
“ଯଦି କୁମ୍ବଲେ ସୌରଭ ଗାଙ୍ଗୁଲି, ଏମଏସ ଧୋନି କିମ୍ବା ବିରାଟ କୋହଲିଙ୍କ ପରି ଦୀର୍ଘ ସମୟ ଧରି ଭାରତର ଅଧିନାୟକ ହୋଇଥାନ୍ତେ, ତେବେ ସେ ଅନେକ ରେକର୍ଡ କରିଥାନ୍ତେ । ସେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କାରେ କଠିନ ସିରିଜରେ ଅଧିନାୟକତ୍ବ କରିଛନ୍ତି,’’ ବୋଲି ଗମ୍ଭୀର କହିଛନ୍ତି ।
ଗମ୍ଭୀରଙ୍କ ଦଳର କୌତୁହଳପୂର୍ଣ୍ଣ କଥା ହେଉଛି ବୋଲିଂ ଲାଇନ ଅପ । କାରଣ ଯେଉଁ ଚାରି ଜଣଙ୍କୁ ସେ ବାଛିଛନ୍ତି ସେମାନେ କିଛି ସମୟ ଏକାଠି ଭାରତ ପାଇଁ ଖେଳିଥିଲେ । 1990 ଦଶକ ତଥା 2000 ଦଶକ ମଧ୍ୟରେ ଏହି ଚାରି ଜଣ ଭାରତ ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଗୌତମ ଗମ୍ଭୀରଙ୍କ ସର୍ବକାଳୀନ ଭାରତ ଟେଷ୍ଟ ଏକାଦଶ: ସୁନୀଲ ଗାଭାସ୍କର, ବିରେନ୍ଦର ସେହୱାଗ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, କପିଲ ଦେବ, ଏମଏସ ଧୋନି, ହରଭଜନ ସିଂ, ଅନିଲ କୁମ୍ବଲେ (ଅଧିନାୟକ), ଜହିର ଖାନ, ଜଭଗଲ ଶ୍ରୀନାଥ ।