ନର୍ଥମ୍ପଟନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲଙ୍କ ଦେହାନ୍ତ । ଦୀର୍ଘ ଦିନ ହେବ ଖେଳାଳି ଜଣକ ଅସୁସ୍ଥ ଥିଲେ । ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ 57ବର୍ଷ ହୋଇଥିଲା ।
ଇଂଲଣ୍ଡ ପାଇଁ ସେ 1987ରୁ 1990 ଯାଏଁ 15ଟି ଟେଷ୍ଟ ଓ 23ଟି ଦିନିକିଆ ମ୍ୟାଚ ଖେଳିଥିବା ଏହି ଖେଳାଳି 2018ରୁ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ । ଇଂଲିଶ କାଉଣ୍ଟି ଟିମ ନର୍ଥମ୍ପଟନଶର ବୁଧବାର ସୂଚନା ଦେଇଛି ଯେ, ତାଙ୍କର ନିଧନ ତାଙ୍କ ଘରେ ହୋଇଛି । କେପଲ ଏହି କାଉଣ୍ଟି ଟିମର ଖେଳାଳି ଓ ପୁଣି କୋଚ ଭାବେ କ୍ରମାଗତ ଭାବେ 32ବର୍ଷ ହେଲା ଯୋଡି ହୋଇଥିଲେ ।
ତେବେ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ ହୈରିସନ କହିଛନ୍ତି ଯେ, ଏହା ଇଂଲିଶ କ୍ରିକେଟ ପରିବାର ପାଇଁ ଦୁଃଖଦ ଖବର । ଡେଭିଡ ତାଙ୍କ ଯୁଗର ଶ୍ରେଷ୍ଠ ଅଲରାଉଣ୍ଡର ମାନଙ୍କ ମଧ୍ୟରେ ଜଣେ ଥିଲେ ।
କେପଲ 1981ରୁ 1998 ଯାଏଁ ନର୍ଥମ୍ପଟନଶର ପାଇଁ 270ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଥିଲେ । କାଉଣ୍ଟିରେ ଜନ୍ମିତ ପ୍ରଥମ କ୍ରିକେଟର ଯିଏ କି ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ ଖେଳିଛନ୍ତି ଡେଭିଡ । 1987 ମସିହାରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଟେଷ୍ଟ ଡେବ୍ୟୁର 3ମାସ ପୂର୍ବରୁ ଦିନିକିଆ କ୍ୟାରିଅରର ପ୍ରଥମ ମ୍ୟାଚ ଖେଳିଥିଲେ ।