ମୁମ୍ବାଇ: ଗତ କିଛି ଦିନ ତଳେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟ ଟିମର ଅଧିନାୟକ ଦିମୁଥ କରୁଣାରତ୍ନେ ଆଗାମୀ ବିଶ୍ବକପରେ ଶ୍ରୀଲଙ୍କାକୁ ଲିଡ କରିବେ । ବୁଧବାର ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ କିଛି କ୍ରିକେଟ ବିଶେଷଜ୍ଞଙ୍କ ଅନୁମାନ ରହିଥିଲା ଯେ ପେସର ଲସିଥ ମାଲିଙ୍ଗା ଶ୍ରୀଲଙ୍କା ଦଳକୁ ଲିଡ କରିପାରନ୍ତି । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ଦାୟିତ୍ବ କରୁଣାରତ୍ନେଙ୍କ କାନ୍ଧରେ ଦିଆଯାଇଛି ।
ପ୍ରକାଶଯୋଗ୍ୟ, କରୁଣାରତ୍ନେଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଗତ ଫେବ୍ରୁୟାରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ଏଥିସହ ଶ୍ରୀଲଙ୍କା ପ୍ରଥମ ଏସୀୟ ଦଳ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତିବାର ସୌଭାଗ୍ୟ ଲାଭ କରିଥିଲା । କରୁଣାରତ୍ନେ ଶ୍ରୀଲଙ୍କା ପକ୍ଷରୁ ୬୦ ଟେଷ୍ଟରେ ପ୍ରତିନିଧିତ୍ୱ କରି ୪,୦୭୪ ରନ ସଂଗ୍ରହ କରିଛନ୍ତି । ସେହିଭଳି ସେ ୧୭ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ।