ଆବୁଧାବି: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମେ ଖେଳାଳି ଭାବେ, 200ତମ ଆଇପିଏଲ ମ୍ୟାଚ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଧୋନି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।
ଟସ୍ ସମୟରେ ଫିଟନେସ ନେଇ କରାଇଥିବା ପ୍ରଶ୍ନରେ ଧୋନି ସକରାତ୍ମକ ଅନ୍ଦାଜରେ ଉତ୍ତର ରଖିଥିଲେ । କମେଣ୍ଟଟର ଟିପ୍ପଣୀ ନ କରିବା ପର୍ଯ୍ୟନ୍ତ ସେ ଏନେଇ ଜାଣିନଥାନ୍ତି ବୋଲି କହିଥିଲେ । "ସମୟ କେବଳ ଏକ ସଂଖ୍ୟା । ବିନା ଆହତରେ ଦୀର୍ଘ ସମୟ ଧରି ଖେଳିପାରିଥିବାରୁ ସୌଭାଗ୍ୟଶାଳୀ ଅନୁଭବ କରୁଛି ।" ଏହି କହିଛନ୍ତି ମହେନ୍ଦ୍ର ସିଂ ଧୋନି ।
ପୂର୍ବତନ ଭାରତୀୟ କ୍ୟାପଟେନ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ଫ୍ରାଞ୍ଚାଇଜ, 3ଟି ଆଇପିଏଲ ଟ୍ରଫି ବିଜୟ ସହ 8ଥର ଫାଇନାଲରେ ପ୍ରବେଶ କରିଛି । ରାଇଜିଂ ପୁନେ ସୁପରଜିଆଣ୍ଟସ ପକ୍ଷରୁ ମଧ୍ୟ କିଛି ମ୍ୟାଚ ଖେଳିଛନ୍ତି ଧୋନି । ତେବେ ଚଳିତ ସଂସ୍କରଣରେ ଫର୍ମ ପାଇଁ ସିଏସକେ ସଂଘର୍ଷ କରୁଥିବାର ନଜର ଆସିଛି ।
ରାଜସ୍ଥାନ ବିପକ୍ଷ ମ୍ୟାଚ ପୂର୍ବରୁ ଧୋନି, ଲିଗରେ 4568 ରନ ସଂଗ୍ରହ କରିସାରିଛନ୍ତି । ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ 7ମ ସ୍ଥାନରେ ରହିଛନ୍ତି ଧୋନି । ଏଥିସହ ୱିକେଟ କିପର ତାଲିକାରେ 124 ଆଉଟ ସହ ଶୀର୍ଷରେ ରହିଛନ୍ତି । ଏଥିରେ 106ଟି କ୍ୟାଚ ସାମିଲ ରହିଛି ।
ଚଳିତ ସଂସ୍କରଣରେ ଟିମ ଖେଳିଥିବା ଅଧିକାଂଶ ମ୍ୟାଚରେ ପରାଜୟ ମିଳିଥିଲେ ମଧ୍ୟ ଏକମାତ୍ର କ୍ୟାପଟେନ ଭାବେ 100ତମ ଆଇପିଏଲ ମ୍ୟାଚ ବିଜୟ ଧୋନିଙ୍କ ନାମରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ