ଲଣ୍ଡନ: ରବିବାର ଭାରତ-ପାକିସ୍ତାନ ମହା ଲଢେଇରେ ବାଜିମାତ୍ କରିଛି ବିରାଟ ସେନା । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ମାତ୍ର ଦଳକୁ ଲାଗିଛି ବଡ ଝଟକା । ମ୍ୟାଚ ଚାଲିଥିବା ସମୟରେ ଆହତ ହୋଇଥିବା ଭାରତୀୟ ପେସ ବୋଲର ଭୁବନେଶ୍ବର କୁମାର ଆଗାମୀ ଦୁଇ ତିନୋଟି ମ୍ୟାଚ୍ ଖେଳି ନପାରନ୍ତି । ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିରାଟ କୋହଲି । ତାଙ୍କ ଜଙ୍ଘର ମାଂସପେଶୀରେ ଆଘାତ ଲାଗିବାରୁ ସେ ଏବେ ବୋଲିଂ କରିବାକୁ ଅସମର୍ଥ ଅଛନ୍ତି ।
ତେବେ ବିରାଟ କହିଛନ୍ତି, " ଭୁବି ଏବେ ଟିକେ ଅସୁସ୍ଥ ଅଛନ୍ତି । ତାଙ୍କ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଛି । ତେଣୁ ସେ ବୋଧହୁଏ ଆଗାମୀ ଦୁଇ କିମ୍ବା ତିନୋଟି ମ୍ୟାଚ ଖେଳିପାରିବେ ନାହିଁ । କିନ୍ତୁ ଆମେ ଆଶା କରୁଛୁ ସେ ଶୀଘ୍ର ସୁସ୍ଥ ହୋଇ ଟିମ୍କୁ ଫେରିବେ । କାରଣ ଭୁବି ଟିମ୍ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । "
ତେବେ ଏହି କଥାରୁ ସ୍ପଷ୍ଟ ଯେ, ଜୁନ୍ 22ରେ ଆଫ୍ଗାନିସ୍ତାନ ବିପକ୍ଷ ମ୍ୟାଚ୍ ସହିତ 27 ଓ 30 ତାରିଖରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭୁବନେଶ୍ୱର କୁମାର ଖେଳି ନ ପାରନ୍ତି।