ମୁମ୍ବାଇ: ରବିବାର ବିସିସିଆଇର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହେବ । ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ତଥା ବିସିସିଆଇ ସଭାପତି ପ୍ରଥମ କରି ବୈଠକରେ ସଭାପତିତ୍ବ କରିବେ। ବୈଠକରେ ବିସିସିଆଇ ସମ୍ବିଧାନ ସଂଶୋଧନ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କ୍ରିକେଟ ପ୍ରଶାସକ କମିଟି(COA) 33 ମାସ ଧରି କାର୍ଯ୍ୟକରିଛନ୍ତି । ତେବେ ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ଓ ଅନ୍ୟାନ୍ୟ ଅଧିକାରୀ ନିର୍ବାଚିତ ହେବାପରେ COAର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଥିଲା । ଗାଙ୍ଗୁଲି 9 ମାସ ପାଇଁ ବିସିସିଆଇ ସଭାପତି ନିର୍ବାଚିତ ହୋଇଛନ୍ତି । ତେବେ ବର୍ତ୍ତମାନର ନିର୍ବାଚିତ ବିସିସିଆଇ ଅଫସିଆଲ କମିଟି ଗାଙ୍ଗୁଲିଙ୍କ କାର୍ଯ୍ୟକାଳକୁ ବୃଦ୍ଧି ପାଇଁ ବିଚାର କରୁଥିବା ଚର୍ଚ୍ଚା ହେଉଛି ।
ସେଥିପାଇଁ ରବିବାର ହେବାକୁ ଥିବା ସାଧାରଣ ବୈଠକରେ ଲୋଧା କମିଟିରେ ପରିବର୍ତ୍ତନ ପାଇଁ ସୁପାରିଶ ହୋଇପାରେ । ଏନେଇ ସୁପ୍ରିମକୋର୍ଟ ବିସିସିଆଇକୁ ପ୍ରଦାନ କରିଥିବା କିଛି ଗାଇଡଲାଇନରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହେବାର ସୂଚନା ରହିଛି । ବୈଠକରେ ଲୋଧା କମିଟିରେ ପରିବର୍ତ୍ତନ ଓ ବିସିସିଆଇ ସମ୍ବିଧାନରେ ସଂଶୋଧନ ମୁଖ୍ୟ ପ୍ରସଙ୍ଗ ହେବା ନେଇ ସୂଚନା ମିଳିଛି । ଲୋଧା କମିଟରେ ପରିବର୍ତ୍ତନ ଓ ବିସିସିଆଇ ସମ୍ବିଧାନରେ ସଂଶୋଧନ କରାଯାଇ ପୂର୍ବପରି କ୍ରିକେଟ ଆଡମିନଷ୍ଟ୍ରେସନ କମିଟି(CAC) ନିଯୁକ୍ତି ସପକ୍ଷରେ ରହିଛି ବିସିସିଆଇ। ଏହା ସମ୍ଭବ ହେଲେ CACର ଅନୁମୋଦନ କ୍ରମେ ବିସିସିଆଇ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ଭବ ହେବ ଚର୍ଚ୍ଚା ହେଉଛି।