ଲିଡସ: ଆସେସ ସିରିଜର 3ୟ ଟେଷ୍ଟରେ ଦେଖିବାକୁ ମିଳିଛି ବୋଲରଙ୍କ କମାଲ । ଇଂଲଣ୍ଡର ଜୋଫ୍ରା ଆର୍ଚର 6ଟି ୱିକେଟ ନେଇ ଅଷ୍ଟ୍ରେଲିଆ ପାଳିକୁ 179ରେ ଶେଷ କରି ଦେଇଥିଲେ । ତେବେ ଘରୋଇ ଇଂଲଣ୍ଡ ଅଷ୍ଟ୍ରେଲିଆ ପେସ ଆଟାକ ସାମ୍ନାରେ ସଂପୂର୍ଣ୍ଣ ଧରାଶାୟୀ ହୋଇଛି । ମାତ୍ର 67 ରନରେ ପୁରା ଟିମ ଅଲଆଉଟ ହୋଇଯାଇଛି ।
କଙ୍ଗାରୁ ଫାଷ୍ଟ ବୋଲର ଜସ ହେଜଲଉଡଙ୍କ ଝଡରେ ଇଂଲିସ ବ୍ୟାଟିଂ ଲାଇନ ଧ୍ବସ୍ତ ହୋଇଯାଇଥିଲା । ମାତ୍ର 5ଟି ଫ୍ରଣ୍ଟଲାଇନ ୱିକେଟ ଅକ୍ତିଆର କରି ହେଜଲଉଡ ଇଂଲିସ କ୍ୟାମ୍ପରେ ହାହାକାର ମଚାଇ ଦେଇଥିଲେ । ଉପସ୍ଥିତ ଇଂଲିସ ଦର୍ଶକ ନିଜ ଦଳର ଏଭଳି ପ୍ରଦର୍ଶନରେ ହତବାକ ହୋଇଯାଇଥିଲେ । ତେବେ ଏହି ଏତିକିରେ ଶେଷ ହୋଇନଥିଲା ଅଷ୍ଟ୍ରେଲିଆ ପେସ ଆଟାକର ଶାଣୀତ ଆକ୍ରମଣ । ଅଭିଜ୍ଞ ପାଟ କମିନ୍ସ 3ଟି ଓ ଜେମ୍ସ ପାଟିନସନ 2ଟି ୱିକେଟ ନେଇ ଇଂଲଣ୍ଡର ପାଳିକୁ 67ରନରେ ଶେଷ କରିଦେଇଥିଲେ ।
ସ୍ଥିତି ଏପରି ହୋଇଥିଲା ଇଂଲଣ୍ଡର 10ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ଛୁଇଁ ପାରିନଥିଲେ । ଜୋ ଡେନଲି ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ 12 ରନ କରିଥିଲେ । କ୍ୟାପଟେନ ଜୋ ରୁଟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ବିଶ୍ବକପ ହିରୋ ଜେସନ ରୟ, ଷ୍ଟୋକସ, ବେଆରଷ୍ଟୋ, ବଟଲର ସମସ୍ତେ ଫେଲ ମାରିଥିଲେ ।
ତେବେ ଅଷ୍ଟ୍ରେଲିଆ 2ୟ ଇଂନିସ ବ୍ୟାଟିଂ ଜାରି ରଖିଥିବା ବେଳେ 200ରନରୁ ଅଧିକ ରନରେ ଅଗ୍ରଣୀ ହୋଇଛି । ଇଂଲଣ୍ଡ ସାମ୍ନାରେ ଏକ ବଡ ଟାର୍ଗେଟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।