ନୂଆଦିଲ୍ଲୀ: କେବଳ ରାଜନୀତି ଓ ଅର୍ଥନୀତିରେ ନୁହେଁ ବରଂ କ୍ରୀଡାପ୍ରତି ମଧ୍ୟ ଥିଲା ତାଙ୍କର ଅଜସ୍ର ଦୁର୍ବଳତା । ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଉପ ସଭାପତି ଓ ଦିଲ୍ଲୀ କ୍ରିକେଟ ଆସୋସିଏସନର ସଭାପତି ରହିସାରିଥିବା ଜେଟଲୀଙ୍କ ଶନିବାର ପରଲୋକ ଘଟିଛି । ସ୍ଥାନୀୟ ଏମ୍ସ ମେଡିକାଲରେ ସେ ତାଙ୍କର ଶେଷ ନିଶ୍ବସ ତ୍ୟାଗ କରିଛନ୍ତି । ତେବେ ଭାରତୀୟ ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗଙ୍କ ସହ ତାଙ୍କର ରହିଛି ଏକ ପୁରୁଣା ସମ୍ପର୍କ । ଯାହାକୁ ଆଜି ମନେ ପକାଇଛନ୍ତି ସେହ୍ବାଗ ।
ତେବେ ଜେଟଲୀଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦେବା ସହ ସେହ୍ବାଗ ବଖାଣିଛନ୍ତି କେମିତି ତାଙ୍କ ବିବାହରେ ଜେଟଲୀ ତାଙ୍କୁ ସାହାଯ୍ୟ କରିଥିଲେ । 2004ରେ ଆରତୀଙ୍କୁ ବିବାହ କରିଥିଲେ ସେହ୍ବାଗ । ସେହି ସମୟରେ ଦିଲ୍ଲୀର ଅଶୋକ ରୋଡ ନମ୍ବର-9ରେ ମିଳିଥାଏ ଜେଟଲୀଙ୍କୁ ସରକାରୀ ବାସଭବନ । କିନ୍ତୁ ଏହାକୁ ବ୍ୟକ୍ତିଗତ ଭାବେ ବ୍ୟବାହାର କରୁ ନଥିବାରୁ ଏଠାରେ ସେହ୍ବାଗଙ୍କ ବାହାଘର କରିବାକୁ ତାଙ୍କୁ ପିତାଙ୍କୁ ପରାମର୍ଶ ଦେଇଥିଲେ ଜେଟଲୀ । ଫଳରେ ସେହ୍ବାଗଙ୍କ ବାହାଘରରେ ଆସିଥିବା ସମସ୍ତ ଅତିଥି ଜଟେଲୀଙ୍କ ସରକାରୀ ବାସଭବନରେ ରହିଥିଲେ । ମାତ୍ର ଜେଟଲୀ ନିଜେ ସେହ୍ବାଗଙ୍କ ବାହାଘରରେ ଯୋଗଦେଇ ପାରି ନଥିଲେ । କାରଣର ସେ ସମୟରେ ବେଙ୍ଗାଲୁରୁଠରେ ତାଙ୍କ ଏକ ବୈଠକରେ ଯୋଗ ଦେବା ନେଇ ଯୋଜନା ରହିଥିଲା ।
ସେହ୍ବାଗ ଟ୍ବିଟ କରି ଲେଖିଛନ୍ତି, "ତାଙ୍କ ନେତୃତ୍ବରେ ଡିଡିସିଏରୁ ମୁଁ ଏବଂ ବହୁ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛୁ । ଗୋଟେ ସମୟରେ ଦିଲ୍ଲୀ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳୁ ନଥିଲା । ମାତ୍ର ତାଙ୍କ ସମୟରେ ଏହା ବଦଳି ଯାଇଥିଲା । ସେ ସମସ୍ତ ଖେଳାଳିଙ୍କ ସମସ୍ୟା ବିଷୟରେ ବୁଝନ୍ତି ଓ ଏହାର ସମାଧାନ ମଧ୍ୟ କରୁନ୍ତି । ତାଙ୍କ ସହ ମୋର ସୁନ୍ଦର ସ୍ମୃତି ରହିଛି । ତାଙ୍କର ବିୟୋଗରେ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ଆଶା କରେ ଇଶ୍ବର ତାଙ୍କ ଆତ୍ମାର ସଦଗତି କରନ୍ତୁ ।"