କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିରୋଧରେ ବର୍ଷିଲେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ବୋଲର ମହମ୍ମଦ ଆମୀର ।
28 ବର୍ଷରେ ଅବସର ନେବାର କାରଣ ନେଇ ଟିମ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି । ତାଙ୍କର ଭାବମୂର୍ତ୍ତୀ ଖରାପ କରିବା ପାଇଁ କୋଚ ମିଶବାହ ଉଲ ହକ ଓ ଦ୍ରୁତ ବୋଲିଂ କୋଚ ୱାକର ୟୁନିସଙ୍କୁ ସମାଲୋଚନା କରିଛନ୍ତି ।
ନିଜର ୟୁଟୁବ ଚ୍ୟାନେଲରେ ଆମୀର, କୋଚ ମିଶବାହ ଓ ୱକାରଙ୍କ ସହ ବିରୋଧାଭାବ ଥିଲା ବୋଲି ଖୁଲାସା କରିଛନ୍ତି ।
ଆମୀର କହିଛନ୍ତି, ସେ ଟେଷ୍ଟ କ୍ରିକେଟ ଖେଳିବାକୁ ଇଚ୍ଛୁକ ନୁହଁନ୍ତି, କେବଳ ଅର୍ଥ ଲୋଭରେ ଅଧିକ ଟି-20 କ୍ରିକେଟ ଖେଳିବାକୁ ଚାହାଁନ୍ତି ବୋଲି ମିଥ୍ୟା ପ୍ରଚାର କରିଥିଲେ । ଏଥିସହ ଭାବମୂର୍ତ୍ତୀ ଖରାପ ପାଇଁ ଚେଷ୍ଟା କରିଥିଲେ ।
ତେବେ ଅବସର ନିଷ୍ପତ୍ତି କଷ୍ଟଦାୟକ ଥିଲା, ମାତ୍ର ଚୁପ ରହିବାର ନୁହେଁ ବରଂ ମୁହଁ ଖୋଲିବାର ସମୟ ଆସିଯାଇଛି ବୋଲି ଚିନ୍ତାକଲେ ବୋଲି କହିଛନ୍ତି ଆମୀର । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ସୀମିତ ଓଭର କ୍ରିକେଟ ପାଇଁ ନିଜକୁ ଉପଲବ୍ଧ ରଖିଥିଲି । ଭଲ ପ୍ରଦର୍ଶନ ସତ୍ତ୍ବେ ଅଣଦେଖା କରାଗଲା । ଫଳରେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ଆମୀର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ