ଖ୍ରୀଷ୍ଟଚର୍ଚ୍ଚ: ପରାଜୟରେ ଶେଷ ହୋଇଛି ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ । ପୁଣି ଏକ ବଡ ଟେଷ୍ଟ ପରାଜୟ ଭୋଗିଛି ଭାରତ । ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟକୁ ସହଜରେ ଜିତିନେଇ 2ଟିକିଆ ଟେଷ୍ଟ ସିରିଜକୁ 2-0ରେ ପୋଛି ନେଇଛି ଘରୋଇ ନ୍ୟୁଜିଲାଣ୍ଡ ।

ପ୍ରାୟ 8ବର୍ଷ ପରେ କୌଣସି ଦଳ, ଭାରତୀୟ ଦଳ ବିପକ୍ଷରେ ଟେଷ୍ଟ ସିରିଜ କ୍ଲିନ ସୁଇପ କରିଛି । ପ୍ରଥମ ଟେଷ୍ଟ ଭଳି 2ୟ ଟେଷ୍ଟରେ ମଧ୍ୟରେ ବିରାଟ ବାହିନୀର ନୈରାଶଜନକ ପ୍ରଦର୍ଶନ ରହିଛି । ଶେଷ ଟେଷ୍ଟରେ ଭାରତୀୟ ବୋଲର କିଛି ଆଶା ଦେଖାଇଥିଲେ ମଧ୍ୟ ତାହା ପରାଜୟକୁ ରୋକିବାରେ ଅସଫଳ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରଥମ ଇଂନିସରେ 242 ରନ କରିବାକୁ ସମର୍ଥ ହୋଇଥିଲା । ଯୁବ ଓପନର ପୃଥ୍ବୀ ସ’ 54, ଚେତେଶ୍ବର ପୂଜାରା 54 ଓ ହନୁମା ବିହାରୀ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ତେବେ କ୍ୟାପଟେନ ବିରାଟ କୋହଲି, ଭାଇସ କ୍ୟାପଟେନ ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ 2ଅଙ୍କ ସ୍ପର୍ଶ କରିନପାରି ଫେଲ ମାରିଥିଲେ ।

ନିଜର ଡେବ୍ୟୁ ଟେଷ୍ଟ ଖେଳିଥିବା କେଲ ଜେମିଏସନ ପ୍ରଥମ ଇଂନିସରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । 5ଟି ୱିକେଟ ଅକ୍ତିଆର କରି ଭାରତର ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରଦେଇଥିଲେ । ପରେ ଅଭିଜ୍ଞ ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ ମଧ୍ୟ 2 ଲେଖାଏଁ ୱିକେଟ ନେଇ ଭାରତୀୟ ଇଂନିସକୁ 242ରନରେ ରୋକିଥିଲେ ।
ଜବାବରେ ନ୍ୟୁଜିଲାଣ୍ଡ ମାତ୍ର 235 ରନ କରିପାରିଥିଲା । ଭାରତୀୟ ବୋଲର ଲୟକୁ ଫେରିବା ସହ ଜୋରଦାର ପ୍ରତିଆକ୍ରମଣ କରିଥିଲେ । ମହମ୍ମଦ ସାମି ସର୍ବାଧିକ 4ଟି, ଜଶପ୍ରୀତ ବୁମରା 3ଟି ରବିନ୍ଦ୍ର ଜାଡେଜା 2ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।
ତେବେ 2ୟ ଇଂନିସରେ ଭାରତ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଲଜ୍ଜାଜନକ ଭାବେ ଭାରତର ଇଂନିସ ମାତ୍ର 124ରେ ସମାପ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମ୍ନା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ସ୍ଥିତି ଏପରି ହୋଇଥିଲା ଭାରତର 7ଜଣ ଖେଳାଳି 2ଅଙ୍କ ସ୍ପର୍ଶ କରିପାରିନଥିଲେ ।
ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ମାତ୍ର 132 ରନର ବିଜୟ ଲକ୍ଷ୍ୟ ରହିଥିଲା । ଏହି ସହଜ ବିଜୟଲକ୍ଷ୍ୟକୁ 3 ୱିକେଟ ହରାଇ ହାସଲ କରିନେଇଥିଲା କେନ ୱିଲିୟମସନଙ୍କ ଦଳ । 2 ଓପନର ଟମ ଲାଥମ 52 ଓ ଟମ ବ୍ଳଣ୍ଡେଲ 55 ଅର୍ଦ୍ଧଶତକୀୟ ଇଂନିସ ଖେଳି ଦଳ ବିଜୟକୁ ସୁନିଶ୍ଚିନ୍ତ କରିଥିଲେ । ଏହି ପରାଜୟ ପରେ ଭାରତୀୟ ଦଳ ସମାଲୋଚନାର ଶିକାର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ