ସିଡନୀ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ରବିବାର ଡ୍ର ହୋଇଛି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪ ୱିକେଟ ହରାଇ ୪୭୫ ରନ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୨୫୫ ରନରେ ଅଲଆଉଟ ହୋଇଯାଇଥିଲା । ଘରୋଇ ଅଷ୍ଟ୍ରେଲିଆ ଟିମ ସିରିଜ କ୍ଲିନ ସ୍ବିପ ଆଶାରେ ଖେଳର ପଞ୍ଚମ ଦିନରେ ଦକ୍ଷିଣ ଆଫ୍ରିକା ଫୋଲଅନ ଦେଇଥିଲା । ହେଲେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଙ୍ଗାରୁ ଦଳର କ୍ଲିନ ସ୍ବିପ ଆଶାକୁ ଧୂଳିସାତ୍ କରିଛି । ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ୨ ଟି ୱିକେଟ ହରାଇ ୧୦୬ କରି ପଞ୍ଚମ ଦିନରେ ଖେଳ ଶେଷ କରିଛି । ଏହି ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ବିଜୟୀ ହୋଇଛି ।
ପ୍ରଥମ ଦୁଇ ଦିନ ବର୍ଷା କାରଣରୁ ମଇଦାନ ଓଦା ହେବା କାରଣରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ତୃତୀୟ ଦିନରେ ମଧ୍ୟ ଠିକ ଭାବରେ ଖେଳ ହୋଇପାରିନଥିଲା । ଚତୁର୍ଥ ଦିନରେ ଲଞ୍ଚ ପରେ ଖେଳ ହୋଇଥିଲା । ପଞ୍ଚମ ଦିନରେ ପାଗ ଶୁଖିଲା ରହିଥିଲା । ଚତୁର୍ଥ ଦିନରେ ତଥା ଶନିବାର ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ କେଶବ ମହାରାଜା ସର୍ବାଧିକ ୫୩ ରନର ଇନିଂସ ଖେଳିଥିଲେ । ସାଇମନ ହାର୍ମର ୪୭ ରନ, ତେମ୍ବା ବାଭୁମା ୩୫ ରନ, ଖାୟୋ ଜୋଣ୍ଡୋ ୩୯ ରନ କରିଥିଲେ । ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ପେଟ କମିନ୍ସ ୩ ଟି ୱିକେଟ ନେଇଥିବା ନାଥନ ଲିୟୋନ ଦୁଇଟି ୱିକେଟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ଡିନ ଏଲଗର ୧୦, ହେନରିକ କ୍ଲାସେନ ୩୫, ସରେଲ ଏରବି ୪୨ ରନ ଏବଂ ତେମ୍ବା ବାଭୁମା ୧୭ ରନ କରିଥିଲେ । ସେହିପରି ପ୍ରଥମ ପାଳିରେ ଅଷ୍ଟ୍ରେଲିଆର ଉସମାନ ଖ୍ବାଜା, ଷ୍ଟିଭ ସ୍ମିଥ, ମାର୍ନସ ଲାବୁସେନ ଏବଂ ତ୍ରାଭିସ ହେଡ ଜବରଦସ୍ତ ପାଳି ଖେଳିଥିଲେ । ଉସମାନ ଖ୍ବାଜା ୧୯୫ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସ୍ମିତ ୧୦୪ ରନର ଇନିଂସ ଖେଳିଥବା ବେଳେ ଲାବୁସେନ ୭୯ ରନ କରିଥିଲେ । ତ୍ରାଭିସ ହେଡ ୭୦ ରନ କରିଥିଲେ ।