ସିଲଚର(ଆସାମ): ସବୁ ସ୍ବପ୍ନ ସତ ହୁଏନା, କେବେ ଭାଗ୍ୟ ସାଥ୍ ଦିଏନା ତ କେବେ ସଫଳତା ଆଡକୁ ଲମ୍ବିଥିବା ରାସ୍ତା ବଦଳିଯାଏ । ଅଧୁରା ରହିଯାଏ କିଛି ସ୍ବପ୍ନ । ପରେ ଜୀବନ ଜୀଇଁବାକୁ ସଂଘର୍ଷ କରିବାକୁ ପଡେ । ଏପରି କିଛି ଘଟିଯାଇଛି ଜଣେ ଭାରତୀୟ କ୍ରିକେଟରଙ୍କ ଜୀବନରେ । କ୍ରିକେଟ ପ୍ରେମରେ ପାଗଳ ଭାରତ ଭଳି ଦେଶରେ ଯେଉଁଠି କ୍ରିକେଟରଙ୍କୁ ଭଗବାନ ଓ କ୍ରିକେଟକୁ ଧର୍ମ ଭାବେ ବିବେଚନା କରାଯାଏ, ସେଠାରେ କେବେ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ବୋଲିଂ କରିଥିବା କ୍ରିକେଟର ପରିବାର ପ୍ରତିପୋଷଣ ପାଇଁ ଚା' ଓ ଫାଷ୍ଟ ଫୁଡ୍ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।
ଏହି ବାସ୍ତବ କାହାଣୀର ନାୟକ ହେଉଛନ୍ତି ଆସାମର ବାମହାତୀ ସ୍ପିନର ପ୍ରକାଶ ଭଗତ । ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ଟିମ ଇଣ୍ଡିଆ ପକ୍ଷରୁ ବୋଲିଂ କରିବାକୁ ବର୍ଷ ତାଙ୍କୁ ଡାକରା ଆସେ । କାରଣ ତାଙ୍କର ବୋଲିଂ ଆକ୍ସନ କିମ୍ବଦନ୍ତୀ କିୱି ସ୍ପିନର ଡାନିଏଲ ଭିଟୋରୀଙ୍କ ପରି ଥିଲା ।
ବର୍ଷ 2003ରେ ଭଗତଙ୍କୁ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବାକୁ NCA ପକ୍ଷରୁ ଡାକରା ଆସେ । କାରଣ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି କରୁଥିଲା ।
ସେହି ସମୟରେ ତତ୍କାଳୀନ ନ୍ୟୁଜିଲାଣ୍ଡ ଭେଟେରାନ ସ୍ପିନର ଡାନିଏଲ ଭିଟୋରୀ ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ନିଜର ସ୍ପିନ ଜାଲରେ ଫସାଇ ପାଭିଲିୟନର ରାସ୍ତା ଦେଖାଉଥିଲେ ଓ ପ୍ରତିପକ୍ଷ ଟିମ ପାଇଁ ଆହ୍ବାନ ପାଲଟିଥିଲେ । ଫଳରେ ପ୍ରସ୍ତୁତି ରଣନୀତି ଅନୁଯାୟୀ, ଗାଙ୍ଗୁଲି ଚାହୁଁଥିଲେ ଭିଟୋରୀଙ୍କ ପରି ବୋଲିଂ ଆକ୍ସ ଥିବା ଜଣେ ବାମହାତୀ ସ୍ପିନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରନ୍ତୁ । ଫଳରେ ଆସାମ ସ୍ପିନର ପ୍ରକାଶ ହିଁ ଟିମ ଇଣ୍ଡିଆ ପାଇଁ ଭିଟୋରୀ ଅସ୍ତ୍ରର ମୁକାବିଲା ପାଇଁ ସହାୟକ ହେବେ ବୋଲି ଯୋଜନା ହୋଇଥିଲା ।
ଭଗତ ବେଙ୍ଗାଲୁରୁରେ ପହଞ୍ଚିଥିଲେ ଓ ବର୍ତ୍ତମାନର ବିସିସିଆଇ ସଭାପତି ତଥା ତତ୍କାଳୀନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସମେତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ ।
ଭଗତଙ୍କୁ ଜାତୀୟ କ୍ରିକେଟ ଏକାଡେମୀରୁ କେବଳ ତାଙ୍କର ବୋଲିଂ ଆକ୍ସନ ପାଇଁ ଆସିନଥିଲା ବରଂ ସେ ପ୍ରଭାବୀ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରଥିଲେ । 17 ବର୍ଷରୁ କମ ବିଜୟ ମର୍ଚାଣ୍ଟ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ ସେ । ବିହାର ବିପକ୍ଷ ମ୍ୟାଚରେ hat-trick ୱିକେଟ ସମେତ ଆସାମ ପକ୍ଷରୁ ଖେଳି ଭଗତ 7ଟି ୱିକେଟ ହାସଲ କରିଥିଲେ ।
ପରେ ଭଗତ ପ୍ରାୟ ସମସ୍ତ ବୟସବର୍ଗର ଟୁର୍ଣ୍ଣାମେଣ୍ଟରେ ଆସାମର ପ୍ରତିନିଧିତ୍ବ କରିଛନ୍ତି । 2009-10 ଓ 2010-11 ଦୁଇଟି ସଂସ୍କରଣରେ ରଣଜୀ ଟ୍ରଫି ମଧ୍ୟ ଖେଳିଛନ୍ତି । ଏହା ବ୍ୟତୀତ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।
ସବୁ କ୍ରିକେଟରଙ୍କ ପରି ତାଙ୍କର ବି ସ୍ବପ୍ନ ଥିଲା ଜାତୀୟ ଦଳକୁ ଡାକରା ଆସିବ । ସେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ଦେଶର ପ୍ରତିନିଧିତ୍ବ କରିବେ । ମାତ୍ର ସ୍ବପ୍ନ ସବୁ ସ୍ବପ୍ନରେ ରହିଥିଲା । ବର୍ଷ 2011ରେ ଭଗତ ପିତାଙ୍କୁ ସବୁଦିନ ପାଇଁ ହରାଇବା ପରେ, ପରିବାର ପ୍ରତିପୋଷଣ ଦାୟିତ୍ବ ବଡ ଭାଇ ଓ ତାଙ୍କ ଉପରେ ଆସିଯାଏ । ଜୀବନର ରାସ୍ତାରେ ଭିନ୍ନ ଏକ ମୋଡ ଆସେ, ଲକ୍ଷ୍ୟପଥ ବଦଳିଯାଏ । ଯେଉଁଠି ପରିବାର ଲୋକଙ୍କ ମୁହଁରେ ଦାନାଗଣ୍ଡେ ଦେବାକୁ ସଂଘର୍ଷ କରିବାକୁ ପଡେ, ସେଠି ଖେଳ କଥା କିଏ ପଚାରେ । ସ୍ଥାନୀୟ ସିଲଚାର ଅଞ୍ଚଳରେ ଏକ ଚା' ଦୋକାନ କରି ରୋଜଗାରର ମାଧ୍ୟମ ଭାବେ ଚା'ବାଲା ଜୀବନ ଆରମ୍ଭ କରନ୍ତି । ତେବେ ମହାମାରୀ କୋଭିଡ-19 ସମୟରେ ଲୋକମାନେ ରାସ୍ତାକଡର ଦୋକାନରୁ ଖାଇବା ବନ୍ଦ କରିଦେବା ପରେ ତାଙ୍କର ରୋଜଗାର ଠପ୍ ହୋଇଯାଇଛି ।
ଯାହା କିଛି ଛୋଟିଆ ଚା' ଦୋକାନରୁ ହେଉଥିଲା, ନିଅଣ୍ଟିଆରେ ହେଲେ ମଧ୍ୟ ସେଥିରେ ପରିବାର ଯେନତେନ ପ୍ରକାରେ ଚଳିଯାଉଥିଲା । ଦିନକ ପାଇଁ ଦୁଇଟି ମିଲ୍ ଖାଇବା ସମ୍ଭବ ହୋଇଯାଉଥିଲା । ମାତ୍ର କୋରୋନା ତାଙ୍କୁ ଆହୁରି ଦୁର୍ଦ୍ଦିନକୁ ଠେଲିଦେଇଥିବା କହିଛନ୍ତି ଭଗତ।
ସାଥିରେ ଡ୍ରେସିଂ ରୁମ ସେୟାର କରିଥିବା ସାଥୀମାନେ ସମସ୍ତେ ସରକାରୀ ଚାକିରୀ ପାଇଁ ବାବୁ ହୋଇସାରିଲେଣି, ସେ କିନ୍ତୁ ସବୁଦିନ ସକାଳୁ ରାତି ପର୍ଯ୍ୟନ୍ତ ସଂଘର୍ଷ କରିଚାଲିଥିବା କୋହଭରା କଣ୍ଠରେ କହିଛନ୍ତି ।
ତେବେ କ୍ରୀଡାବିତ ଟିଏ ହୋଇଥିବାରୁ ହାରିନାହାନ୍ତି କି ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି । ଏବେବି ସୌରଭ ଗାଙ୍ଗୁଲିଙ୍କୁ ବୋଲିଂ କରିଥିବାର ଅନୁଭୂତିରୁ ସ୍ମୃତିରେ ସାଇତି ରଖିଛନ୍ତି । ବୋଲିଂ ପାଇଁ ଦାଦାଙ୍କ ଠାରୁ ଅନେକ ଟିପ୍ସ ମିଳିଥିଲା ବୋଲି ମଧ୍ୟ 34 ବର୍ଷୀୟ ଭଗତ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ