ଲାହୋର: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସିଆ କପ 2023ରେ ଆଜି ଚତୁର୍ଥ ଲିଗ ମ୍ୟାଚ ଖେଳାଯିବ । ଗ୍ରୁପ ବିର ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ରହିଛି । ଆଫଗାନିସ୍ତାନର ଏହା ପ୍ରଥମ ମ୍ୟାଚ ହୋଇଥିବା ବେଳେ ବାଂଲାଦେଶର ଏହା ଦ୍ବିତୀୟ ମ୍ୟାଚ । ବାଂଲାଦେଶ ତାର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା । ଆଜି ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର କର ବା ମର ସ୍ଥିତି ହୋଇଛି । ସେପଟେ ଆଫଗାନିସ୍ତାନ ବାଂଲାଦେଶକୁ ହରାଇ ବିଜୟଖାତା ଖୋଲିବା ଲକ୍ଷ୍ୟରେ ରହିଛି । ଲାହୋରର ଗଡାଫି କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ 3ଟାରୁ ମ୍ୟାଚ ଆରମ୍ଭ ହେବ ।
ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିବା ବାଂଲାଦେଶକୁ ସୁପର-4 ଦୌଡକୁ ବଜାୟ ରଖିବାକୁ ହେଲେ ଆଜି ଆଫଗାନିସ୍ତାନ ବିପକ୍ଷରେ ବିଜୟ ଏକାନ୍ତ ଜରୁରୀ । ସାକିଲ ଉଲ ହାସନଙ୍କ ନେତୃତ୍ବାଧୀନ ବାଂଲାଦେଶ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଠୁ 5 ୱିକେଟରେ ପରାସ୍ତ ହୋଇଥିଲା । ଦଳ ଉକ୍ତ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 164 ରନ କରିବାକୁ ସକ୍ଷମ ହୋଇଥିଲା ଯାହାକୁ ଶ୍ରୀଲଙ୍କା ଦଳ ସହଜରେ ହାସଲ କରି ନେଇଥିଲା । ଦଳର ନଜମୋଲ ହୋସେନ ଶାଣ୍ଟୋ(89)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ନଥିଲେ । ଆଜି ଉଭୟ ବ୍ୟାଟିଂ ଓ ବୋଲିଂ ତ୍ରୁଟିକୁ ସୁଧାରି ଆପଗାନିସ୍ତାନ ବିପକ୍ଷରେ ଖେଳିବ ବାଂଲାଦେଶ । ମୁଖ୍ୟତଃ ବ୍ୟାଟିଂ ବିଭାଗକୁ ସୁଧାରିବାକୁ ହେବ ।
ସେହିପରି ଏସିଆ କପ 2023ର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଥିବା ଆଫଗାନିସ୍ତାନ ଦୃଢ ରଣନୀତି ପ୍ରସ୍ତୁତ କରିଛି । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ହସମୁତୁଲ୍ଲା ସାହିତଙ୍କ ନେତୃତ୍ବାଧୀନ ଆଫଗାନିସ୍ତାନ । ଦଳର ବ୍ୟାଟିଂ ଇବ୍ରାହିମ ଜର୍ଡାନ, ଗୁଲବଦିନ ନୈବ, ମହମ୍ମଦ ନବି, ରେହମୁଲ୍ଲା ଗୁରବାଜଙ୍କ ଉପରେ ନିର୍ଭର କରୁଛି । ବୋଲିଂରେ ରାସିଦ ଖାନ, ମୁଜିବ ଉର ରହେମାନ ପ୍ରମୁଖ ରହିଛନ୍ତି । ଆଫଗାନିସ୍ତାନର ମୁଖ୍ୟ ଅସ୍ତ୍ର ହେଉଛନ୍ତି ରାସିଦ । ଉଭୟ ଦଳ ମଧ୍ୟରେ ଶେଷ 5ଟି ମ୍ୟାଚ ରେକର୍ଡକୁ ଦେଖିଲେ ଆଫଗାନିସ୍ତାନ 3ଟି ବାଂଲାଦେଶ 2ଟି ମ୍ୟାଚ ଜିତିଛି । ଦୁଇଦଳ ସମ ଦକ୍ଷତାପୂର୍ଣ୍ଣ ହୋଇଥିଲେ ବି ଆଜି ଦମଦାର ରଣନୀତି ଖେଳିବାକୁ ପଡିବ ।
ଏହା ବି ପଢନ୍ତୁ...Asia Cup 2023: ଶ୍ରୀଲଙ୍କାର ବିଜୟ ଅଭିଯାନ, ବାଂଲାଦେଶକୁ 5 ୱିକେଟରେ ହରାଇଲା
ବାଂଲାଦେଶ ସମ୍ଭାବ୍ୟ ଦଳ: ମହମ୍ମଦ ନଇମ, ତନଜିଦ ହାସାନ/ଆନାମୁଲ ହକ, ନଜମୁଲ ହୋସେନ ଶନ୍ତୋ, ସାକିବ ଅଲ ହାସନ (ଅଧିନାୟକ), ତୋୱିଦ ହ୍ରିଦୟ, ମୁସଫିକର ରହିମ (ୱିକେଟକିପର), ଅଫିଫ ହୋସେନ, ମୋହେବି ହାସାନ ମିରାଜ, ଟସ୍କିନ ଅହମ୍ମଦ, ହାସାମ ମାମୁଦ, ଶରିଫଲ ଇସଲାମ ।
ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ଇବ୍ରାହିମ ଜାଦରାନ, ନିଜାବୁଲ୍ଲାହ ଜାଦରାନ, ହସମାତୁଲ୍ଲା ସାହିଦି (ଅଧିନାୟକ), ମହମ୍ମଦ ନବି, କରିମ ଜନତ, ଗୁଲାବାଦିନ ନୈବ, ରହମୁଲ୍ଲାହ ଗୁରବାଜ(ୱିକେଟ କିପର), ରାସିନ ଖାନ, ମୁଜୀର ରହମାନ, ଫାଜାଲହକ ଫାରୁକି, ନୁର ଅହମ୍ମଦ ।