ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନିକିଆ ବିଶ୍ବକପ୍ ୨୦୨୩ । ହାତରେ ବାକି ଅଛି ଆଉ ଦିନ କେଇଟା । ଧିରେ ଧିରେ ଅନେକ ଦଳ ନିଜ ନିଜର ଦଳ ଘୋଷଣା କରିଛନ୍ତି । ଯଦିଓ ବହୁ ମାନସ ମନ୍ଥନ ପରେ ଏସିଆ କପ୍ ପାଇଁ ବିସିସିଆଇ ଦଳ ଘୋଷଣା କରିବାରେ ସକ୍ଷମ ହେଲା, ହେଲେ ବର୍ତ୍ତମାନ ସୁଦ୍ଧା ବିଶ୍ବକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇନାହିଁ । ତେବେ ବିସିସିଆଇର ସବୁଠାରୁ ବଡ଼ ଚିନ୍ତା, ନମ୍ବର-୪ରେ କିଏ ଖେଳିବ । ଏହିକ୍ରମରେ ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର ଏବି ଡିଭିଲିୟର୍ସଙ୍କର ଏକ ବୟାନ ସାମ୍ନାକୁ ଆସିଛି । ଏହି ପୋଜିସନ୍ରେ ଖେଳିବା ପାଇଁ ବିରାଟ କୋହଲି ସବୁଠାରୁ ଯୋଗ୍ୟ ବ୍ୟାଟର ବୋଲି କହିଛନ୍ତି ଡିଭିଲିୟର୍ସ ।
ନିଜ ୟ୍ୟୁଟୁବ୍ ଚ୍ୟାନେଲ୍ରେ ଏବି ଡିଭିଲିୟର୍ସ କହିଛନ୍ତି, "ବର୍ତ୍ତମାନର ଭାରତୀୟ କ୍ରିକେଟ୍ ଦଳରେ ଅନେକ ଉଚ୍ଚକୋଟୀର ଖେଳାଳି ରହିଛନ୍ତି । ନିକଟରେ ଶ୍ରେୟସ ଆୟର ମଧ୍ୟ ଟିମ୍କୁ ଫେରିଛନ୍ତି । ଫଳରେ ନମ୍ବର ୪ ଖେଳାଳିକୁ ନେଇ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାରେ ଅନ୍ତ ହୋଇଛି । ଶ୍ରେୟସ ଆୟର ୪ ନମ୍ବରରେ ଖେଳିବା ନେଇ ଭାରତୀୟ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ମୋ ମତରେ ବିରାଟ କୋହଲି ନମ୍ବର ୪ ସ୍ଥାନ ପାଇଁ ପରଫେକ୍ଟ୍ ବ୍ୟାଟର । ପୂର୍ବ ରେକର୍ଡ ଦେଖିଲେ ଏହି ସ୍ଥାନରେ ବିରାଟଙ୍କ ଫର୍ମ ଜବରଦସ୍ତ ରହିଛି । ତେଣୁ ବିରାଟ ଏହି ସ୍ଥାନରେ ଖେଳିଲେ ଟିମ୍ ପାଇଁ ଭଲ ହେବ । ଏହାବ୍ୟତୀତ ଶ୍ରେୟସ ଆୟର କିମ୍ବା କେଏଲ୍ ରାହୁଲ ୩ ନମ୍ବରରେ ଖେଳିବା ଉଚିତ୍ । କାରଣ ଉଭୟ ଦୀର୍ଘ ଦିନ ଧରି ଆହତ ଲାଗି ଟିମ୍ରୁ ବାହାରେ ରହିବା ପରେ ଏବେ ଏବେ ଦଳକୁ ଫେରିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବକପ ପାଇଁ ଭାରତୀୟ ଦଳ ଚୟନ କଲେ ଗାଙ୍ଗୁଲି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ ?
ତେବେ ଯଦି କୋହଲି ନମ୍ବର ୪ରେ ଖେଳୁଛନ୍ତି, ତେବେ ଟିମ୍ର ମିଡିଲ ଅର୍ଡର ବ୍ୟାଟିଂ ଆହୁରି ମଜବୁତ୍ ହୋଇଯିବ ବୋଲି ମତ ରଖିଛନ୍ତି ଏହି ମହାନ କ୍ରିକେଟର । ଯଦି ଟିମ୍ର ପ୍ରାରମ୍ଭିକ ବ୍ୟାଟର ଫେଲ୍ ମାରୁଛନ୍ତି, ତେବେ ମିଡିଲ୍ ଅର୍ଡରରେ ଜଣେ ଅଭିଜ୍ଞ ବ୍ୟାଟର ରହିବା ଉଚିତ୍ । ଯିଏ ଟିମ୍କୁ କଠିନ ପରିସ୍ଥିତିରୁ ବାହାର କରିବାରେ ସକ୍ଷମ ହେବେ । ତେବେ ବିରାଟ କୋହଲି ୪ ନମ୍ବରରେ ବ୍ୟାଟିଂ କରି ୭ଟି ଶତକ ହାସଲ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟାଟିଂ ଆଭରେଜ୍ ୫୫.୨୧ ରହିଛି । ଷ୍ଟ୍ରାଇକ୍ ରେଟ୍ ୯୦.୬୬ ପ୍ରତିଶତ ରହିଛି । ଜାନୁଆରୀ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଷ୍ଟାଡିୟମ୍ରେ ଶେଷଥର ପାଇଁ ବିରାଟ କୋହଲି ନମ୍ବର ୪ରେ ବ୍ୟାଟିଂ କରିଥିଲେ । ଏହାପର ଠାରୁ କୋହଲି ଆଉ ୪ ନମ୍ବରରେ ବ୍ୟାଟିଂ କରିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ