ଧାନବାଦ: ଅଶ୍ଳୀଳ ଭିଡିଓ ସୁଟିଂ ମାମଲାର ଫାଶରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଉପରେ ଯେଉଁ ସଙ୍ଗୀନ ଅଭିଯୋଗ ଲାଗିଛି, ତାକୁ ଆହୁରି ବଳ ଦେଇଛନ୍ତି ମଡେଲ ତଥା ପୂର୍ବତନ ମିସ ଇଣ୍ଡିଆ ୟୁନିଭର୍ସ । ରାଜ କୁନ୍ଦ୍ରାଙ୍କ ଭଳି ଏକ ପ୍ରଡକ୍ସନ କମ୍ପାନୀ ତାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମଡେଲ ।
ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ମଡେଲ ହୋଇଥିବାରୁ କାମ ଖୋଜିବା ପାଇଁ ମାୟାନଗରୀ ମୁମ୍ବାଇ ଯାଇଥିଲେ । ସେଠାରେ ତାଙ୍କୁ ମୃଦୁପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଆଇବା ସହିତ ଅଶ୍ଳୀଳ ଭିଡିଓ ସୁଟିଂ କରାଯାଇଥିଲା ବୋଲି ସେ ଦାବି କରିଛନ୍ତି । ଘଟଣା ଜଣାପଡିବା ପରେ ମଡେଲ ଜଣକ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମୁମ୍ବାଇ ପୋଲିସ ଏବେ ଘଟଣାର ତଦନ୍ତ କରୁଛି ।
ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି ମଡେଲ
ସମ୍ପର୍କୀୟଙ୍କ ଅଭିଯୋଗକ୍ରମେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମଡେଲ । ପରିବାର ସଦସ୍ୟଙ୍କ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି । ମଡେଲ କହିଛନ୍ତି ଯେ ଏହା ସତ୍ୟ ଯେ ଭିଡିଓ ଭାଇରାଲ ହେଉଛି, କିନ୍ତୁ କିଛି ମହିଳା ଏହାକୁ ଭାଇରାଲ କରିଛନ୍ତି । ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପରେ ରାଜ କୁନ୍ଦ୍ରାଙ୍କ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ।
ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସ କହିଛନ୍ତି ଯେ ଯେତେବେଳେ ସେ ଯୌତୁକ ଦେବାକୁ ମନା କରିଦେଇଥିଲେ, ତାଙ୍କ ଶ୍ବଶୁର ଘର ଲୋକେ ଜୁଲାଇ 16ରେ ତାଙ୍କ ସହିତ ମାରପିଟ କରିଥିଲେ । ସେ କହିଛନ୍ତି, ମୁଁ ନ୍ୟାୟ ପାଇଁ ପୋଲିସ ଷ୍ଟେସନରେ ସ୍ବାମୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଏର କରିଛି । ମୁମ୍ବାଇରେ ଏପରି ଏକ ଗ୍ୟାଙ୍ଗ ଅଛି ଯିଏ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଝିଅମାନଙ୍କୁ ବ୍ଲାକମେଲ ସହ ଭିଡିଓ ଭାଇରାଲ କରିଥାନ୍ତି | ମୁଁ ସେହି ଘଟଣାର ଶିକାର ଅଟେ । ଏ ବିଷୟରେ ସୂଚନା ପାଇବା ପରେ ମୁଁ ସେଠାରେ ନ୍ୟାୟ ପାଇଁ ପୋଲିସ ଷ୍ଟେସନରେ ଏତଲା ଦାଏର କରିଥିବା ନିଜ ବୟାନରେ କହିଛନ୍ତି ମଡେଲ ।
ମଡେଲ ଉପରେ ରାଜ କୁନ୍ଦ୍ରଙ୍କ ଅଶ୍ଳୀଳ ଫିଲ୍ମରେ କାମ କରୁଥିବା ଅଭିଯୋଗ
ସ୍ବାମୀ ଜେଲ ଯିବା ପରେ ତାଙ୍କ ବଡ ଭାଇ ଏବଂ ମା' ମଡେଲ ବୋହୂ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେ ବିବାଦୀୟ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିରୀହ ଲୋକଙ୍କୁ ଫାନ୍ଦରେ ପକାନ୍ତି । ମୋ ପୁଅ ପୂର୍ବରୁ ମଧ୍ୟ ସେ ଆଉ ଦୁଇ ଜଣଙ୍କ ଭବିଷ୍ୟତକୁ ନଷ୍ଟ କରିଥିବା ଅଭିଯୋଗ କରିଥିଲେ ଶାଶୂ |
ଜେଲରେ ଅଛନ୍ତି ମଡେଲଙ୍କ ସ୍ବାମୀ, ପୋଲିସ କରୁଛି ତଦନ୍ତ
ଡିଏସପି ଅମର କୁମାର ପାଣ୍ଡେ କହିଛନ୍ତି ଯେ ମଡେଲଙ୍କ ଅଭିଯୋଗ ଉପରେ ପୋଲିସ ଷ୍ଟେସନରେ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ଏହି ମାମଲାରେ ସ୍ବାମୀଙ୍କୁ ନ୍ୟାୟିକ ହେପାଜତରେ ଜେଲ ପଠାଯାଇଛି । ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଡିଏସପି । ଦୁଇ ବର୍ଷ ପୂର୍ବେ ମିସ୍ ଇଣ୍ଡିଆ ଟାଇଟଲ୍ ହାତେଇଥିଲେ ମଡେଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ